ଜହ୍ନ ପାଇଁ
ଜହ୍ନ ପାଇଁ
ଜହ୍ନ ତୁମେ ଲାଗ ଆଜି ବଡ଼ ସୁନ୍ଦର,
ଲୁଚିଥିଲ କାହିଁ ପାଇଁ ତୁମେ କରିଥିଲ ପର?
ତୁମ ଦର୍ଶନେ କଇଁ ଖେଳେ ହସି ହସି,
ତୁମେ ତ ପୃଥିବୀର ଗଳାମାଳି ଆଗୋ ଶଶୀ |
ପ୍ରକୃତିର ରାତ୍ରୀ ଶଯ୍ୟା ସଜାଅ ତୁମ କିରଣେ,
ଆକାଶେ ଖେଳଇ ନକ୍ଷତ୍ର ସବୁ ତୁମ ଆଗମନେ |
ତୁମ ରୂପେ ପୁଲକିତ ସାଗରର ମନ ଯୌବନ,
କୋହ ଭରା ବୁକୁ ଭାଙ୍ଗେ ପ୍ରକମ୍ପ ଢେ଼ଉମାନ |
ତୁମକୁ ପୁଜଇ ଯିଏ ମନେ ଭରି ସପନ,
ପାଏ ତୁମସମ ସାଥୀ ପ୍ରଫୁଲ୍ଲିତ ହୁଏ ମନ |
କେହି କୁହେ ତୁମେ ଅଭିଶପ୍ତ, ବରିଛ କଳଙ୍କ,
ସେଥିପାଇଁ ପୂର୍ଣ୍ଣମୀ ଯାଏ ତୁମ ଅବକ୍ଷୟ ଅଙ୍କ |
ତୁମେ ତ ସତ୍ୟ ସୁନ୍ଦର ଆହେ ଶଶାଙ୍କ,
ତୁମେ ଶୀତଳତାର ପ୍ରତୀକ, ପ୍ରିୟ ତୁମେ ସଭିଙ୍କ |
କବିର ହୃଦୟ ହୁଏ ତୁମକୁ ଦେଖି ବିଚଳିତ,
ଲେଖେ ଜହ୍ନ ପାଇଁ ବସି ହୃଦୟରୁ ଗୀତ |
ପ୍ରେମର ପୁଲକ ଭର ତୁମେ ପ୍ରେମୀଙ୍କ ମନରେ,
କୁହନ୍ତି, ଜହ୍ନ ପାଇଁ ଜାଗଇ ପ୍ରେମ ହୃଦୟରେ |
ବିହ୍ଵଳିତ ମନ ଆଜି ମୋର ଜହ୍ନ ପାଇଁ,
ଶାନ୍ତ ଅସ୍ଥିର ମନ ତୁମ ଶୀତଳତା ପାଇ |
ଲେଖୁଛି, ଲେଖିବି କବିତା ଦେଖ ତୁମ ପାଇଁ,
ବଢ଼ଇ ସୌନ୍ଦର୍ଯ୍ୟ ପ୍ରକୃତିର ସଦା ଜହ୍ନ ପାଇଁ |