ଝିଅ ------
ଝିଅ ------
ବାଜିଲାଣି ଶଙ୍ଖ
ମଙ୍ଗଳ ମହୁରୀ
ଝିଅତ ହେଲାଣି ସଜ,
ବାଡୁଅ ପାଣିରେ
ଭିଜିବ ତା ମନ
ଲାଗେ ତାକୁ ଲାଜଲାଜ
ବଉଳ ପାଟଟା
ଦେଖି ତାର ମନେ
ଆସେ ନୂଆ ଶିହରଣ,
ନୂଆ ଦୁନିଆରେ
ପାଦ ସେ ଥାପିବ
ଛାଡି ସାଙ୍ଗ ସାଥିଗଣ
ଆଜିଯାଏ ଥିଲା
ଏହି ଦୁନିଆଟା
ତାହାପାଇଁ ଜଣାଶୁଣା,
କିପରି ଅଟେ ସେ
ଅଜଣା ଦୁନିଆ
ଭାବି ମନ ହୁଏ ବଣା
ଅଜଣା ଲୋକଙ୍କୁ
ସ୍ନେହ ପରଶରେ
କରିବ ସିଏ ନିଜର,
ତଥାପି କାହିଁକି
ଆଶା ଆଶଙ୍କାରେ
ମନଟା ହୁଏନା ସ୍ଥିର
କାହିଁକି ଲୋ ଝିଅ
ଏହି ଅସ୍ଥିରତା
କାହିଁକି ତୋ ମନେ ଭୟ,
ଜନନୀ ରୂପରେ
ସାରା ଦୁନିଆକୁ
କରିପାରୁ ତୁହି ଜୟ
ସବୁ ସହିପାରୁ
ଧରଣୀ ପରାୟେ
ସାଜି ପ୍ରେମର ମୂରତି,
ସରଗଠୁ ବଡ
ତୋ ପଣତକାନି
କାହିଁକି ମନେ ତୋ ଭୀତି
ବିଦ୍ୟା ପ୍ରଦାୟିନି
ସରସ୍ଵତୀ ରୂପେ
ଦେଇପାରୁ ବିଦ୍ୟାଧନ,
ମହାଲକ୍ଷ୍ମୀ ରୂପେ
ବାଢି ଦେଇପାରୁ
ଆନନ୍ଦ ମନରେ ଅନ୍ନ
ବିପଦ ପଡିଲେ
ଧରିପାରୁ ତୁହି
ମହିଷାମର୍ଦ୍ଦିନୀ ରୂପ,
ସେ ରୂପ ଦର୍ଶନେ
ଶତୃ ହୃଦୟରେ
ଭୟେ ସୃଷ୍ଟି ହୁଏ କମ୍ପ
ମାତାରୂପେ ସର୍ଜି
ପାଳି ପାରୁ ତୁହି
ଦୋଷୀକୁ ତୁ ଦେଉ ସଜା,
ନିଜ ସ୍ଵାଭିମାନ
କରିବୁ ତୁ ରକ୍ଷା
ସାଜି ନିଜେ ଦଶଭୂଜା
ତୋ ନିଜ ଭିତରେ
ଅଛନ୍ତି ମା ଦୂର୍ଗା
ପଦ୍ମାଳୟା ସରସ୍ଵତୀ,
ନିଜକୁ ତୁ ନିଜେ
ଚିହ୍ନି ପାରିଲେଟି
ନଥିବ କିଛି ବିପତ୍ତି
ସାଜି ବଧୂ ବେଶ
ଯାଇ ପରଦେଶ
ସଜା ତୋ ନୂଆ ଦୁନିଆ
ତୁ ଅଟୁ ଜନନୀ
ଶକ୍ତି ସ୍ଵରୂପିଣୀ
ମନେ ତୋ ଆଶଙ୍କା କିଆଁ