STORYMIRROR

Lokanath Rath

Classics Inspirational Others

3  

Lokanath Rath

Classics Inspirational Others

ଝିଅ ଜନମ.....

ଝିଅ ଜନମ.....

2 mins
183


କେତେ କେତେ ପୁଣ୍ୟ କରି ପ୍ରାପ୍ତ ହୁଏ ଏକ ଦୁହିତା, 

ବଡ଼ ଆଦରରେ ପାଳନ୍ତି ତାକୁ ସ୍ନେହରେ ପିତା ମାତା. 

ତାର ଶୈଶବର ରୁଣୁ ଝୁଣୁ ପାଉଁଜି ଶବ୍ଦ ମନ ନିଏ କିଣି, 

ଦେଖନ୍ତି ପିତା ମାତା ସପନ, ହେବ ସେ ତ ରାଜ ରାଣୀ. 

ଦେଖି ତା ସୁନ୍ଦର ମୁଖରେ ମିଠା ମିଠା ହସ, 

ସବୁ ଦୁଃଖ ଭୁଲି ପିତା ମନ ପାଏ ଖୁସିର ପରଶ. 

ମାତା ତ ସଜାଏ ତାକୁ ଭେଳି ଭେଳି ବେଶରେ, 

ନୟନ ମେଲି ଦେଖେ ତାକୁ, ହଜେ ସେ ସପନରେ. 

ଯେବେ ଯେବେ ବଡ଼ ହୁଏ, ତା ଦୁଷ୍ଟାମୀ ବଢେ, 

ମାତା ର ଆକଟ ରେ ତା ନୟନୁଁ ଲୋତକ ଝରେ. 

ସେ ଲୋତକ ଦେଖି ପିତା ମନ ଭରେ ବିଷାଦରେ, 

ତା ଲୁହ ପୋଛି ମନାଏ ସେ ତାକୁ ବଡ଼ ଆଦରରେ. 

ତା ପାଦେ ଲାଗେ ଯଦି କିଛି କଣ୍ଟକ କେବେ, 

ପିତାର ହୃଦୟ ବ୍ୟାକୁଳ ହୁଏ, ପୋଛେ ସେ ଲହୁକୁ ବେଗେ.  

ନ ହେଉ ପଛେ ପିତା କେହି ବାଦଶାହା ପରି, 

କିନ୍ତୁ ତା ପାଇଁ ତା ଝିଅ ଅଟେ ଏକ ରାଜକୁମାରୀ. 

ପାଳନ୍ତି ପିତା ମାତା ବଡ଼ ସରାଗରେ ଦେଇ ସବୁ ସ୍ନେହ, 

ତା କଷ୍ଟ ଦେଖି ଅସହ୍ୟ ହୃଦୟେ ଭରେ ତାଙ୍କ କୋହ. 

ଚେଷ୍ଟା କରି ଦିଅନ୍ତି ତାକୁ ଶ୍ରେଷ୍ଠ ବିଦ୍ୟାଳୟେ ଶିକ୍ଷା, 

ଭାବନ୍ତି, ବଡ଼ ହୋଇ ଶିକ୍ଷା ବୁଦ୍ଧି ବଳେ କରିବ ନିଜ ରକ୍ଷା. 

ଯୌବନ ର ପରଶ ଯେବେ ପାଏ ସେହି ଝିଅ, 

ପିତା ମାତା ଙ୍କ ମନେ ବଢେ ଚିନ୍ତାର ଖିଅ. 

ସମୟ ର ଚକ୍ର ସବୁ ଖେଳ କରି ଚାଲେ, 

ଝିଅ ଜନମ ର ଅନ୍ୟ ଭୂମିକା କୁ ଖୋଲେ. 

ପରିଣତ ବୟସ ରେ ଯେବେ ହୁଏ ଝିଅ ଉପନୀତ, 

ଖୋଜା ଚାଲେ ତା ପାଇଁ ଉଚିତ ବର, ଘର ତୁରନ୍ତ . 

ବିଧାତା ର କୃପା ଦୃଷ୍ଟି ବଳେ ସେ ବାନ୍ଧି ହୁଏ ବିବାହ ବନ୍ଧନେ, 

ପିତା ଗୃହ ଛାଡି ଯାଏ ଅନ୍ୟ ଏକ ଘରେ ନିଜ ପତି ସଙ୍ଗେ. 

ଗଢେ ସେ ନୂତନ ଘରେ ତାର ସେ ସୁନ୍ଦର ଏକ ସଂସାର, 

ପତି ସଙ୍ଗେ ରହି ପାଏ ସେଠାରେ ଶାଶୁ ଓ ଶ୍ୱଶୁର. 

ଥିଲା ପିତା ମାତା ଘରେ ସେ ଅତି ଅଲିଅଳି ରାଜକୁମାରୀ, 

ଏବେ ହେଲା ପତି ଗୃହେ ଗୃହିଣୀ, ମନ ଦେଇ ମାରି. 

ଶାଶୁ ଶ୍ୱଶୁର ନଣନ୍ଦ ଦିଅର ସଭିଙ୍କ ମନ କଥା ବୁଝିବାକୁ ହୁଏ, 

ବାପଘର ସୁଖ ତାକୁ ସବୁ ଏବେ ଭୁଲିବାକୁ ହୁଏ. 

ବାପଘରେ ପିତା ମାତା ବୁଝୁଥିଲେ ତାର ମନ କଥା, 

ଶାଶୂଘରେ କିଛି କିଛି ଗଞ୍ଜଣା ଦିଏ ମନେ ବଡ଼ ବ୍ୟଥା. 

ପାଇଛି ସେ ସବୁ ଶିକ୍ଷା, ପିତା ମାତା ଙ୍କ ଠାରୁ ସଂସ୍କାର, 

ହସି ହସି ସବୁ ସହି ଶାଶୂଘରେ ମନ କିଣି ବଢାଏ ସଂସାର. 

ହୁଏ ପୁଣି ସେ ସନ୍ତାନ ର ମାତା ପାଇ ପତି ପ୍ରେମ ଓ ଆଦର, 

ଲୁଟାଏ ସେ ସଭିଙ୍କ ଉପରେ ତା ମମତା, ସ୍ନେହ ମାତୃତ୍ୱର. 

ମନେ ସଦା ରହିଥାଏ ମାତା ଙ୍କ କାନ୍ଦ କାନ୍ଦ କିଛି କଥା, 

ସେ ତ ଅଟେ ଦୁହିତା ହେବ ଦୁଇ କୁଳ ପାଇଁ ହିତା. 

ପାଇଲା ସେ ଝିଅ ଜନମ, ବଢ଼ିଲା ଆଦରେ ପିତା ଘରେ, 

ବାହା ହୋଇ ପର ଘର ଗଲା ଦେଇ ଓଢଣୀ ମଥାରେ. 

ଥିଲା ସେ ଝିଅ,ପୁଣି ପତ୍ନୀ ଓ ବୋହୁ ସେ ତ ହେଲା, 

ମାତା ହୋଇ ସଂସାର ଗଢିଲା, ଦୁଃଖ ସହି ସୁଖ ସେ ବାଣ୍ଟିଲା. 

କିଏ କହେ ଝିଅ ଜନମ ପର ଘରକୁ, ହାଣ୍ଡିଶାଳକୁ, 

କିନ୍ତୁ ସେ ଝିଅ ଯେ କରେ ପରକୁ ଆପଣାର କାଳ କାଳକୁ. 

ପତ୍ନୀ, ବୋହୁ, ମାତା ହୋଇ କରେ କର୍ତ୍ତବ୍ୟ ସାଧନ, 

କାର୍ଯ୍ୟ କରେ କର୍ମ କ୍ଷେତ୍ରେ କରେ ଧନ ଉପାର୍ଜନ. 

ବୁଝିବାକୁ ହେବ ସଭିଙ୍କୁ ଝିଅ ଜନମ ର ପୁଣ୍ୟ କଥା, 

ରଖିବାକୁ ହେବ ତାଙ୍କ ସମ୍ମାନ ସଦା ନ ଦେଇ ବ୍ୟଥା. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics