ଝଡଝଞ୍ଜା ଜାଣିନି ତମେ ପାଶେ ଅଛ
ଝଡଝଞ୍ଜା ଜାଣିନି ତମେ ପାଶେ ଅଛ
ଉଠାଣି ଗଡାଣି ଜୀବନ,
ବାଟ ନୁହେଁ ସଳଖ,
ବଦଳି ଥାଏ ଋତୁ ଚକ୍ର ଭଳି,
ଅନ୍ଧାର ଆଲୁଅ ଭିତରେ,
ଘଟଣା ନଘଟେ ସୁଚୀପତ୍ର ଥିଲା ପରି।
ହେ ତନୁ ପାତଳୀ,
ତୁମର ସୁଢ଼ଳ ତନୁ,
ତୁମର ସେ ମଧୁ କଥା,
କଥାରେ ଅନେକ କଥାରେ
ଥିଲା ସମ୍ମୋହନ ମନ୍ତ୍ର।
ତୁମର ଆକର୍ଷିତ ନେତ୍ର,
ଟାଣିଲା ମୋ ମନ,
ବିଜୁଳି ଖେଳିଲା ଅଙ୍ଗରେ,
ବାର୍ତ୍ତା ଦେଲ ଇସାରା କରି,
ମିଳନେ ଉଛନ ମନ ମୋହରି।
ତୁମକୁ ଦେଖିଲି ଯେ ଦିନୁ,
ପ୍ରେମେ ପାଗଳ ହେଲି ସେ ଦିନୁ,
ମନ ନେଲ କିଣି,
ହୃଦୟ ଦେଇ ଦେଲି,
ହେଲ ପ୍ରାଣ ସଙ୍ଗିନୀ।
ବୁଝିପାରେନା ଥିଲା ସେ କି ଆକର୍ଷଣ,
ନିଜେ ଚାହୁଁଥିଲି ହେବି ସ୍ୱାଧୀନ,
ପଶିବିନି କାହା ବନ୍ଧନେ,
ବାନ୍ଧି ହୋଇଗଲି ଆବେଗରେ,
ଜୀବନର ପ୍ରୀତି ଅଭିଳାଷରେ।
ହେଲ ମୋର ଜୀବନ ସାଥୀ,
ହାତଧରି ଚାଲିଲ ବାଟ ସବୁକିଛି ସହି,
ଦୂର କଲ ନିଃସଙ୍ଗତା,
ଆସି ଏହି ଜୀବନରେ,
ଛାଇ ହୋଇ ରହିଛ ସବୁଠାରେ।
ଆଜି ଭାବୁଛି ମୁହିଁ,
ଅତୀତର ପାଇଛେ ଦୁଃଖ ଯନ୍ତ୍ରଣା,
ଝଡଝଞ୍ଜା ଜାଣିନି ଜୀବନେ,
ତମେ ପାଶେ ଅଛ ବୋଲି,
ପ୍ରେମତତ୍ତ୍ବ କରିଲି ଆଧାର,
ତମକୁ ପାଇ ଜୀବନ ହେଲା ସାକାର ।

