ଜଗତେ ସ୍ୱତନ୍ତ୍ର
ଜଗତେ ସ୍ୱତନ୍ତ୍ର
ସ୍ମୃତି ଅମଳିନ ଅତୀତର ଦିନ
ଭାରତମାଟିର ଗାରିମାଗାଥା
ନେତ୍ରରେ ପଢିଲେ କର୍ଣ୍ଣରେ ଶୁଣିଲେ
ନଇଁଯାଏ ଆପେ ସମ୍ମାନେ ମଥା
ଥିଲେ ବଡ଼ ବୀର ଦେଶବାସୀ ମୋର
ପ୍ରାଣ ଦେଇଥିଲେ ଦେଶର ହିତେ
ଭଗତ, ଲକ୍ଷ୍ମଣ, ବାଜି,ସୁଖଦେଵ
ଆହୁରି ଅନେକ ସୁପୁତ୍ର କେତେ
ବିଭବେ ମଣ୍ଡିତ ଥିଲା ମୋ' ଭାରତ
ଦୂର ଦେଶପାରେ ବାଣିଜ୍ୟ କରି
ସାଧବ ଆମର ଫେରୁଥିଲେ ଘର
ଧନ ଦଉଲତ ଜାହାଜେ ଭରି
ଅନନ୍ୟ ସଂସ୍କୃତି ନାନା କଳାକୀର୍ତ୍ତି
ଗଢ଼ିଥିଲେ ଶିଳ୍ପୀ ହୋଇ ମଗନ
ତାଜ ମହଲ କି କୋଣାର୍କର କଳା
ମୁଗ୍ଧ କରିଅଛି ଦର୍ଶକ ପ୍ରାଣ
ପୁରାଣ ଓ ପୋଥି ସାହିତ୍ୟର ସ୍ଥିତି
ରଚିଥିଲା ବିଶ୍ୱେ ଯଶ ସୁନାମ
ଅତୀତର ଗାଥା ଆମ ମିଠା ପ୍ରଥା
ପରିପୁଷ୍ଟ କରିଅଛି ଜୀବନ
ଆମେ ଆମ ତନ୍ତ୍ର ଜଗତେ ସ୍ୱତନ୍ତ୍ର
ଧର୍ମ କର୍ମ ଭାଷା ଭାରି ନିଆରା
ସଦା ଗୁଞ୍ଜରିତ ମୁକତିର ମନ୍ତ୍ର
ପ୍ରବାହିତ ଶାନ୍ତି ପ୍ରୀତିର ଧାରା
