ଜଗନ୍ନାଥ
ଜଗନ୍ନାଥ
ଅଧା ଗଢା ଜଗନ୍ନାଥ ହେଲୁ ବୋଲି
ଦୁନିଆ ଗଢିଲୁ ଅଧା
କଣ୍ଟା ଭରି ଦେଲୁ ଚଲାପଥ ସାରା
ଟିକେ ଲାଗିଲାନି ବାଧା ।
ସିଂହାସନେ ବସି ଷାଠିଏ ପଉଟି
ଆନନ୍ଦେ ଅଛୁ ତୁ ଖାଇ
କେମିତି ଦୁଃଖକୁ ଜାଣିବୁ ସଙ୍ଗରେ
ଅଛନ୍ତି ଭଉଣୀ ଭାଇ ।
ଏଇ ଦୁନିଆରେ ମାଆ ଠାରୁ ପୁଅ
ଯାଉଛି ଆଜି ଦୂରେଇ
ପୁଅକୁ ହସେଇ ମାଆ କାନ୍ଦେ ପୁଅ
ମାଆକୁ ଦିଏ କନ୍ଦେଇ ।
ବିଶ୍ୱାବସୁ ବିଶ୍ୱାସରେ ବିଷ ଭରି
ଆସିଲୁ ସେଠୁ ପଳେଇ
ଗୋପ ପୁର ଛାଡି ମଧୁରା ଆସିଲୁ
ସଭିଁଙ୍କି ଦେଇ ଭଣ୍ଡେଇ ।
ଠକ ଭଣ୍ଡାମୀରେ ଦୁନିଆ ଗଢିଲୁ
ଦୋଷ ଦେବ ତୋତେ କିଏ
ଗୋଟିଏ ଆଙ୍ଗୁଠି ତୋତେ ଉଠାଇଲେ
ଚାରୋଟି ତା ଆଡେ ଯାଏ ।
ବିଶ୍ୱାସ ଘାତକେ ଚାଲିଛି ସଂସାର
ନୁହଁନ୍ତି କେହି କାହାର
ପାଇବାର ସ୍ୱାର୍ଥ ରହିଥିବା ଯାକେ
କହୁଥିବେ ସବୁ ମୋର ।
ଭାଇ ଭଉଣୀର ସମ୍ପର୍କ ଯେ ଏଠି
ସମ୍ପଦେ ତଉଲା ଯାଏ
ପୁଅ ବାହା ହେଲେ ଦୁଃଖିନୀ ମାଆକୁ
ପଚାରେ ଆଉ ବା କିଏ ।
ଭାଇ ବୋଲ କରି ମା' ମହାଲକ୍ଷ୍ମୀଙ୍କୁ
ବାର ବର୍ଷ ଛାଡି ଦେଲ
ସେଥିପାଇଁ ସ୍ୱାମୀ ସ୍ତ୍ରୀର ଝଗଡା
ଏ କଳି ଯୁଗରେ କଲ ।
ଭକ୍ତି ଭାବେ ସାଲବେଗ ଡାକି ଦେଲେ
କରିଲ ତାଙ୍କୁ ଆରୋଗ୍ଯ
ବନ୍ଧୁଟିଏ ହେଇ ବନ୍ଧୁ ମହାନ୍ତିର
ବଦଳେଇ ଦେଲ ଭାଗ୍ୟ ।
ଭକ୍ତ ଅପମାନ ସହି ନ ପାରିଣ
ଆହେ ପ୍ରଭୁ ଜଗନ୍ନାଥ
ଭକ୍ତ ମାନ ରଖି ବିଜେ କରିଥିଲ
ବଳରାମ ବାଲି ରଥ ।
ନୀଳାଚଳ ଧାମେ ପୁରୀ ଶ୍ରୀମନ୍ଦିରେ
ଅଛ ତୁମ୍ଭେ ବିଜେ କରି
ମେଘନାଦ ପ୍ରାଚୀର ଚାରି ପାରୁଶରେ
ରହି ଅଛି ତୁମ ଘେରି ।
ବାର ମାସେ ତେର ଯାତ କରୁ ଅଛ
ସାଙ୍ଗରେ ଭକ୍ତଙ୍କୁ ଧରି
ବରଷକୁ ଥରେ ରଥ ଯାତରାରେ
ଦେଖ ଭକ୍ତ ନେତ୍ର ଭରି ।
ଦୁର୍ଯ୍ୟୋଧନ ଜାନୁ ଭଗ୍ନ ବେଳେ ଭୀମେ
ଦେଇ ଥିଲ ଆଖି ଠାରି
ସେଇ ଦୋଷେ ଜଗନ୍ନାଥ ଆଖି ପତ୍ତା
ରହିଲାନି ଯେ ତୁମରି ।
ଲୁଚି ବାଳୀ ବଧ କରିଥିଲ ପ୍ରଭୁ
ବାଳୀ ଦେଲା ଅଭିଶାପ
ଏ କଳି ଯୁଗରେ ଜଗନ୍ନାଥ ତୁମ
ହସ୍ତ ପାଦ ହେଲା ଲୋପ ।
ନିଜେ କଲା କର୍ମ ନିଜେ ତ ଭୋଗିବ
ଦୋଷ ନ ଲାଗେ କାହାକୁ
ସତ୍ୟ ଜଗନ୍ନାଥ ସତ୍ୟ ତୁମ ବାନା
ଉଡୁଛି ଯୁଗ ଯୁଗକୁ ।
ଦୋଷ ଧରିବନି କ୍ଷମା କରିଦେବ
ଶରଣ ଯାଇଛି ପାଦେ
ହସରେ ଲୁହରେ ଚାଲିଛି ଦୁନିଆ
ପ୍ରଭୁ ତୁମ ଆଶୀର୍ବାଦେ ।
ଧରି ଥିବ ହାତ ଧରିବନି ଦୋଷ
କଢେଇ ନେବ ହେ ପଥ
ଜନ୍ମ ଜନ୍ମ ପାଇଁ ଶରଣ ନେଇଛି
ତୁମ ପାଦେ ଜଗନ୍ନାଥ ।
