ଜଗାକୁ ହୋଇଛି ଜର କିବା ତାର ଉପଚ଼ାର
ଜଗାକୁ ହୋଇଛି ଜର କିବା ତାର ଉପଚ଼ାର
ଜଗାକୁ ହୋଇଛି ଜର ଲୋ ସଙ୍ଗାତ
କିଏ ଜାଣେ ଉପଚ଼ାର
ଜଗତ ଠାକୁର ମୋ କଳା ସାଆନ୍ତ
ନିଜେ ନିଜର ଡାକ୍ତର ।
ଶୁଣ ଲୋ ସଙ୍ଗାତ ମହାସ୍ନାନ ପରେ
ଜରେ କମ୍ପେ କଳା ଚ଼ାନ୍ଦ
ଗଜପତି ବ୍ୟସ୍ତ ଡାକି ରାଜ ବୈଦ୍ୟ
ଉପଚ଼ାର ପାଇଁ ବ୍ୟସ୍ତ l
ଜଗାକୁ ହୋଇଛି ଜ୍ଵର ଲୋ ସଙ୍ଗାତ
ମହାସ୍ନାନ କରି ସାରି
ସିଧା ଚାଲିଗଲା ସ୍ନାନ ବେଦୀ ଛାଡି
ମନରେ ଭାଳେଣି କରି ।
ବାଉଁଶ ଖଟରେ ଶୋଇଛି ଜଗା ଲୋ
ଜ୍ଵରରେ କମ୍ପେ ଶରୀର
ଅଣସର ଘର ଆହା କି ଆସ୍ଥାନ
ଦୁଃଖ ରେ ଭକ୍ତ ଅଧିର ।
ଭୋଗ ନଲାଗଇ ବେଶ ପର୍ବ ନାହିଁ
ନାହିଁ ଲୋ ତୁଳସୀ ସେବା
ଭାବିଲେ ମନରେ ଯନ୍ତ୍ରଣା ଜମୁଛି
ଭକତେ ଖୋଜନ୍ତି କିବା ।
ଆହା ମୋର ଜଗା କେତେ କଷ୍ଟେ ଅଛି
ଆଖି ଖୋଜେ ତାକୁ କେତେ
କେତେ କଷ୍ଟ ସହି କେତେ ହିନିମାନ
ହେଉଛି ମୋ ଜଗା ସତେ ।
ରାଜବୈଦ୍ୟ ଆସି ଚିକିତ୍ସା କଲେଣି
ମହଷୌଧୀ ଯେ ଦେଲେଣି
ଫୁଲୁରୀ ତେଲର ମାଲିସ୍ ରେ ଜଗା
ଦେହରୁ ପୀଡ଼ା ଗଲେଣି ।
ଦଇତାପତିଏ ଚିନ୍ତାଶୁନ୍ୟ ଏବେ
ଭକତ ଙ୍କ ମନେ ଖୁସୀ
ଦଶମୀ ତିଥି ତ ଆଗତ ହୋଇଲା
ଚ଼କା ବିଜେ ଜଗା ଆସି ।
ଆ ଲୋ ସଙ୍ଗାତ ଜଲଦି ତୁ ଆ
ଜଗା ସୁସ୍ଥ ହୋଇଲାଣି
ବ୍ରହ୍ମାଣ୍ତ ଗୋସାଇଁ ଭକତ ଙ୍କ ପାଇଁ
ଆସିବେ ଦାଣ୍ଡକୁ ଧାଇଁ ।
ନିଜେ ନିଜ ସ୍ରଷ୍ଟା ନିଜେ ତ ଡାକ୍ତର
ମାନବୀୟ ଲୀଳା କରେ
ଜର ଛାଡ଼ୁ ଛାଡୁ ଭକତ ଙ୍କ ପାଇଁ
ବଡ ଦାଣ୍ଡକୁ ବାହାରେ ।
ଦଶମୂଳାରିଷ୍ଟ ସେବନ କରି ସେ
ସୁସ୍ଥ ହୋଇ ସାରିଲେଣି
ଆ ଲୋ ସଙ୍ଗାତ ରଥଖଳା ଠାରେ
ରଥ ସଜ ହୋଇ ଲେଣି ।
ରତନ ବେଦୀ ତ ବାହୁନି କାନ୍ଦୁଛି
ଜଗା ବୁଲି ଯିବ ବୋଲି
ଶରଧା ବାଲିଲେ ଶ୍ରଦ୍ଧା ଢାଳି ଦେବା
ଆ ଲୋ ସଙ୍ଗାତ ଚ଼ାଲି |
ଆ ଲୋ ସଙ୍ଗାତ ଜଗତର ନାଥ
ରଥେ ବିଜେ କରି ଯିବେ
ଗୁଣ୍ଡିଚା ରାଣୀ ର କଥା ରକ୍ଷା ହେବ
ଭକତେ ବି ତୋଷ ହେବେ ।
ପ୍ରତୀକ୍ଷାର ଅନ୍ତ ନୂତନ ଦିଗନ୍ତ
ହାତ ଠାରି ଡାକି ଲେଣି
ଜୀବନଟା ଧନ୍ୟ ହେବ ଲୋ ସଙ୍ଗାତ
ପାପ ହୋଇଯିବ ପାଣି ।
