ଜେଜେ
ଜେଜେ
ପ୍ରଣାମ ଘେନିବ ଜେଜେ
ପ୍ରଥମେ ଚିଠିରୂ,
ଭରିଛି ଭକ୍ତି ସମ୍ମାନ
ହୄଦୟ କନ୍ଦରୁ ।
ଦେଖିବା ପୂର୍ବରୁ ମୋତେ
କିଆଁ ଛାଡି ଗଲ,
ତୁମ ସ୍ନେହ ଶ୍ରଦ୍ଧା ପାଇଁ
ହୁଏ କଲବଲ ।
ଯେବେ ଥାପିଥିଲି ପାଦ
ପ୍ରଥମେ ମହୀରେ,
ଆତ୍ମୀୟ ସ୍ଵଜନ ଠାରୁ
ଥିଲ ତୁମେ ଦୂରେ ।
ପଡିଉଠି କେତେ ମୁହିଁ
ଚାଲିବା ଶିଖଲି,
ଦରୋଟି ଭାଷାରେ ପୁଣି
ଭାଷା ମୁଁ ଭାଷିଲି ।
କେମିତି ପାରିଲ ତେଜି
ଏତେ ସବୁ ମୋହ,
ଆସିବା ଆଗରୁ ମୋର
ଛାଡିଦେଲ ଦେହ ।
ଶୁଣି ନାହିଁ ଗପ ଗୀତ
ପାଖେ ତୁମ ବସି,
କୋଳେଇ ନେଇନ କେବେ
ମୁଣ୍ଡ ମୋ ଆଉଁସି ।
ଛୁଇଁ ନାହିଁ କେବେ ତୁମ
ପାବନ ପୟର,
ଦେଇନ ଆଶିଷ ମୋତେ
ଶିରେ ରଖି କର ।
ବାପା ବଡବାପା ଠାରୁ
କଥା ମୁଁ ଶୁଣିଛି,
ନୟନେ ଦେଖିବା ପାଇଁ
ବ୍ୟାକୁଳ ହୋଇଛି ।
ସମୟ ସାଥିରେ ଆଜି
ଭରା ମୋ ସଂସାର,
ସ୍ଵାମୀ ପୁତ୍ର ସାଥେ ସୁଖେ
କରିଅଛି ଘର ।
ତଥାପି ସେ ଶୂନ୍ୟ ସ୍ଥାନ
ଏବେବି ଅପୂର୍ଣ୍ଣ,
ଜେଜେ ଜେଜେ ଡାକି ହୄଦ
କରଇ କ୍ରନ୍ଦନ ।
ମନକଥା କହିବାକୁ
ଲେଖିଲି ମୁଁ ଚିଠି,
ସ୍ଵର୍ଗପୁରେ ଘର ତୁମ
କେ ପାରିବ ଉଠି ।
ଆସନ୍ତ କି ଜେଜେ ତୁମେ
ସପନରେ ମୋର,
ଚିଠି ନେଇ ମୋର ହସ୍ତୁ
କରନ୍ତ ଆଦର ।
ତୁମ ଅପେକ୍ଷାରେ ଚିଠି
ରଖିଲି ସାଇତି,
ନମନ କରି ମୁଁ ପୁନଃ
ଲେଖା କଲି ଇତି ।