ଜେଜେ ମା**************
ଜେଜେ ମା**************
ଗଦା ଗଦା ସ୍ନେହ ଭଲ ପାଇବାକୁ
ଅସରନ୍ତି ଢ଼ାଳୁଥାଏ ,
ବୋଉ ଗାଳି ଦେଲେ ବାପା ଗାଳି ଦେଲେ
କୋଳକୁ କୋଳେଇ ନିଏ ।
ରାଗ ଅଭିମାନ ସବୁ ତା ପାଖରେ
କେତେ ଅଳି ଅରଦଳି,
ତାର ଆଗେ ପଛେ ନାଚି ନାଚି ବୁଲେ
ଦିଏ ନା କେବେ ସେ ଗାଳି ।
ପାଠପଢ଼ା ସାରି ଘରକୁ ଫେରିଲେ
ଆଖି ଖୋଜେ ଖାଲି ତାକୁ
ଗୋରା ମୁହେଁ ତାର ହସର ଝଲକ
ଥରୁଟିଏ ଦେଖିବାକୁ ।
ଖୁଆଇ ଦିଏ ସେ କୋଳରେ ବସାଇ
ଖୋଲିଦେଇ ଗପ ମୁଣି ,
ନ ଖାଇଲା ଖାଦ୍ୟ ସବୁ ସରିଯାଏ
ତାର ସେ ଗଳ୍ପକୁ ଶୁଣି ।
ପେଟ ମୋ ପୁରିଲେ ଖୁସି ହୁଏ ଭାରି
ସତେକି ଖାଇଛି ସିଏ,
ମୁହଁ ଧୋଇ ଦେଇ କାନିରେ ପୋଛଇ
ମୁଣ୍ଡକୁ ଆଉଁସି ଦିଏ ।
ପାଖରେ ଶୁଆଇ କହୁଥାଏ କେତେ
ପରିରାଇଜର ଗପ,
ନାଉଧୁଡ଼ୁକି କୁ ବୁଢୀ ଅସୁରୁଣୀ
ପୁଣି କେବେ ବେଙ୍ଗ ସାପ ।
ମାମୁଁ ଘର ଗଲେ ମନ ଦୁଃଖକରେ
ଲାଗେ ନାହିଁ ତାକୁ ଭଲ,
ମାଛି ପରିଯିବ ମୁଁ ଗଲାପରେ
କହିକି କରଇ ଗେଲ ।
ସାଙ୍ଗ ପରି ମୋର ସବୁ କଥା ରଖେ
ମା ପରି ଭଲ ପାଏ,
ଭଲ ମନ୍ଦ ଅବା ସୁଖ ଦୁଃଖ ମୋର
ତା ଆଗରେ ମୁହିଁ କହେ ।
ରଜ ଆସିଗଲେ ପୋଡପିଠା ପୋଡେ
ଘସି ନିଆଁ ପରେ ରଖି,
ନଡ଼ିଆ ଲଡୁ କୁ ଚିନିର ଉଖୁଡ଼ା
ଲାଳ ଗଡ଼େ ମୋର ଦେଖି ।
ସାଗ ତୋଳି ଯାଏ ପାଚିଆ ଧରି ମୁଁ
କେବେ ଭେଣ୍ଡି ବାଇଗଣ,
କେବେ ସାଥେ ତାର ମଞ୍ଜି ପୋତେ ମୁହିଁ
କେବେ ସଫାକରେ ବଣ ।
ସାଙ୍ଗ କରି ମୋତେ ସାଥିରେ ବୁଲା ଏ
ଚିହ୍ନା ଏ ସେ ଗଛ ଲତା,
ଏକା ଯେବେ ହୁଏ ମନେ ପଡ଼ିଯାଏ
ମୋର ସେଇ ସବୁ କଥା ।
ଜେଜେ ମା ପରି ବନ୍ଧୁଟିଏ ଅବା
ମିଳିବେନି ଆଉ କିଏ ?
ବିନା ସ୍ଵାର୍ଥରେ ଯେ ସେନେହ କରିବ
ଅବିଶ୍ୱାସ ନୀୟ ଇଏ ।