ଜାଣେ ସିନା ଏକା ସେହି
ଜାଣେ ସିନା ଏକା ସେହି
ହୃଦୟ ଯେଦିନ ଟାଣିନେଲା ମନ
ଜାଣିଲି ହୋଇଲା ପ୍ରେମ
ଦେହରୁ ମୋହର ବହି ଘର୍ମ ଝର
ଜପିଲା ଆଉ କା' ନାମ।
ଦେଖିଲି ସପନ ତା ଶଶୀ ବଦନ
ରହିଛି ମୋ ଆଡ଼େ ଚାହିଁ
ତା'ର ଚାରୁ ବେଶ ହୋଇଛି ପ୍ରକାଶ
ଆନ କିଛି ଦିଶୁ ନାହିଁ।
ତା ମୁଖ ନିଃସୃତ ବାଣୀର ନିର୍ଝର
ଶୀତଳ କଲା ମୋ ମନ
ତା ବାଙ୍କ ଚାହାଣୀ ଲେଖିଲା କାହାଣୀ
ଭୁଲିଗଲି ରାତି ଦିନ।
ଜଳରେ, ସ୍ଥଳରେ ବହିରେ, ଖାତାରେ
ସର୍ବତ୍ର ତା ପ୍ରତିଛବି
ହୃଦ ସିଂହାସନେ ବସିଲା ମଉନେ
ଦିନ ଗଲା ଭାବିଭାବି।
ତା ଅଧର ହସ ସତେ ମଧୁ ରସ
ମନରେ ପୀରତି ବନ୍ୟା
କେତେକାଳ ବସି ବିଧାତା ଗଢିଛି
ସତେକି କାଉଁରୀ କନ୍ୟା।
ମନେମନେ ମୁହିଁ କେତେ ଯେ ହସିଲି
ନ ଦିଶିଲା ପରିପାର୍ଶ୍ବ
ପାଗଳ ପରାୟ ମନ ହେଲା ହାୟ
ଭୁଲିଲି ନିଜ ଆଦର୍ଶ।
ଦୁଃଖ ହେଲା ସୁଖ ସୁଖ ହେଲା ଦୁଃଖ
ବିଚିତ୍ର ବିଧାନ ଏହି
ପ୍ରେମ ଯେ କରିଛି ନିଜକୁ ହାରିଛି
ଜାଣେ ସିନା ଏକା ସେହି।

