ଜାଗରେ ଉତ୍କଳ ସନ୍ତାନ
ଜାଗରେ ଉତ୍କଳ ସନ୍ତାନ
ଜାଗରେ ଜାଗରେ ଉତ୍କଳ ସନ୍ତାନ
ଚେଇଁ ଶୋଇବୁ ତୁ କେତେ ଦିନ l
ପୁରୁବ ମହିମା ପୁରୁବ ଗାରିମା
ପାଶୋରି ଦେଲାକି ତୋର ମନ l
ତୋ ପୂର୍ବ ପୁରୁଷ କରିଥିଲେ ପରା
ଗଙ୍ଗା ଠାରୁ ଗୋଦାବରୀ ଜୟ l
ତାଙ୍କର ଔରସ ସନ୍ତାନ ହୋଇତୁ
କାହାକୁ କାହିଁକି କରୁ ଭୟ l
ଏ ମାଟି ସାଧବ ବିଦେଶେ ବୋଇତ
ନେଇ ବୋହି ଆଣୁଥିଲେ ଧନ l
ପେଟ ପାଇଁ ଆଜି ବିଦେଶକୁ ଯାଇ
ଖଟୁଛୁ କାହିଁକି ତୁ ଦାଦନ l
ଭୁଲି ଯାଇଛୁ କି ଅତୀତ ମହିମା
ଗୌରବ ମଣ୍ଡିତ ତୋର ଶିରି l
ଧରାରେ ଭାରତ ଭରତେ ଉତ୍କଳ
ଆଉ କିଏ ଅଛି ତୋର ସରି l
ସୁଶୁପ୍ତ ନିଦ୍ରାରୁ ଜାଗ୍ରତ ହୁଅରେ
ମନେ ପକାଅ ତୋ ପୂର୍ବ ଗାଥା l
ଚଣ୍ଡାଶୋକ ଦିନେ ଧର୍ମାଶୋକ ହେଲେ
ଏ ମାଟି ଆଗରେ ନଇଁ ମଥା l
ଖଣ୍ଡିତ ହୋଇଛି ଉତ୍କର୍ଷ ଉତ୍କଳ
ଜନନୀ କରୁଛି ଦୁଃଖେ ଶୋକ l
ଉତ୍କଳ ସନ୍ତାନ କାନେ ପଡୁନି କି
ଜନନୀର ରୁଦ୍ଧ କଣ୍ଠ ଡାକ l
ହୋଇଣ ଜାଗ୍ରତ ଜନନୀର ଦୁଃଖ
ନିବାର ଆସିଛି ସେହିଦିନ l
ନିରାଶା ରେ ଆଶା ପୁରା କରିପାରୁ
ଆମେତ ଉତ୍କଳ ମା"ସନ୍ତାନ l
