ମୁଠାଏ ସ୍ମୃତି
ମୁଠାଏ ସ୍ମୃତି
ଅତୀତ ସେଇ ଅଭୁଲା ସମୟ ଯେବେ ଆଜି ପଡ଼େମନେ
ଚଳଚିତ୍ର ପରି ଅଭୁଲା ମୁହୂର୍ତ୍ତ ନାଚି ଉଠେ ଏ ନୟନେ l
ଭୁଲିବାକୁ ଚାହିଁ ଭୁଲି ହେଉନାହିଁ ଅତୀତର ଯେତେକଥା
କେବେ ଖୁସିଲାଗେ ମନେପଡ଼ିଗଲେ କେବେପୁଣି ଲାଗେବ୍ୟଥା
ଅତୀତର ସେଇ ଭାବପ୍ରବଣତା ପ୍ରେମର ପୂରବୀ ସ୍ଵନ
ମନ କଦମ୍ବରେ ଫୁଲ ଫୁଟୁଥିଲା ଶୁଣି ଶ୍ରାବଣର ତାନ l
ଶିହରଣ ଖେଳୁଥିଲା ଅବୟବେ ପ୍ରିୟା ସାଥେ ହେଲେ ଭେଟ
ହୃଦୟର ସ୍ନାୟୁ ଅଣୁପରମାଣୁ ହେଉଥିଲା ତ ଉଚ୍ଚାଟ l
କାମନା କୁଣ୍ଡଳୀ ଜାଗି ଉଠୁଥିଲା ଜ୍ଞାନଅଞ୍ଜନକୁ ଲଙ୍ଘି
ମନେପଡ଼େ ପ୍ରିୟା ଚାଲିଗଲା ଦିନେ ମନ କପାଟକୁ ଭାଙ୍ଗି l
ପାଗଳ ପ୍ରାୟକ ନିଝୁମ ନିଶିର ବରଷାରେ ଭିଜିଅଛି
ବିଜୁଳି ଆଲୋକ ଘୋରଅନ୍ଧାରରେ କେତେ ବା ମୁଁ ନଖୋଜିଛି l
ଲିଭିଛି ପ୍ରଳାପ ନାହିଁସେ ଆଳାପ ଯାଇଛି ଗଳପ ହୋଇ
ଅୟୁତ ଯୁଗର ତୃଷା ମୃଗତୃଷ୍ଣା ଯାହା ଯାଇଅଛି ସେହି l
ଇତି ହୋଇନାହିଁ ଏମନରେ ପ୍ରେମ ସେ ଦିନ ଗଲେବି ବିତି
ମନର ନିଭୃତ କୋଣରେ ଏବେବି ରହିଛି ମୁଠାଏ ସ୍ମୃତି l