ମା ଓ ମମତା
ମା ଓ ମମତା


ଗଭୀର ସାଗରୁ ବଡ଼ ଯା ଅନ୍ତର
ପାହାଡ଼ରୁ ଉଚ୍ଚ ସେନେହ ଯାହାର
ତା କାନି ପଣତ ଶ୍ରୀମନ୍ଦିର ନେତ
ଗୋଟିଏ ଅକ୍ଷର ନାଁ
ସେ ମୋ ମମତାମୟୀ ମା ।
ନିଜ ଲୁହ ଚାପି ମୋତେ ହସେଇଛି
ନିଜେ ନଖାଇଣ ମୋତେ ଖୁଆଇଛି
ଓଷା ବାରବ୍ରତ କରିଛି ବହୁତ
ମୋ ସୁଖ ମନାସି ଆଃ
ସେ ମୋ ମମତା ।
ନାନାବାୟା ଗାଇ କୋଳେ ଶୁଆଇଛି
କାନ୍ଦିଲେ ମୁଁ ଜହ୍ନମାମୁଁ ଦେଖାଇଛି
ନିଜର ଲହୁକୁ ଅମୃତ କରିଣ
ମୋତେ ପିଆଇଛି ଆଃ
ସେ ମୋ ମମତା ।
ମା "ର ମମତା କେ କରି କଳନ
ଲେଖିଲେ ତ ସରିଯିବ ଅଭିଧାନ
ମଧୁରୁ ମଧୁର ସରଗୁ ସୁନ୍ଦର
ବେଦ ରୁ ପବିତ୍ର ନାଁ
ସେ ମୋ ମମତା ।
ମା "ଚରଣରେ ବଇକୁଣ୍ଠ ସୁଖ
ଡାକିଦେଲେ ଥରେ ଯାଏ ଭୁଲି ଦୁଃଖ
ବିନା ପୂଜାରେ ସେ ଦେବୀ ରୂପା
ଦିଏ ମାଗେ ମୁଁ ଯାହା
ସେ ମୋ ମମତା ।
ମା "ର ମନରେ ଦିଅ ନାହିଁ ଦୁଃଖ
ବରଜିଛି ଯିଏ ତୁମ ପାଇଁ ସୁଖ
ତା ପାଦ ସେବା ପାଇଁକି ସଦା
ମୋ ପ୍ରାଣେ ଭରୁ ରାହା
ସେ ମୋ ମମତାମୟୀ ମା ।