ଶ୍ରବଣ କୁମାର
ଶ୍ରବଣ କୁମାର


ତ୍ରେତୟା ଯୁଗର ଗାଥା ଶୁଣ ସୁଜ୍ଞାନୀ
ଅନ୍ଧ ଅନ୍ଧୁଣି ଥିଲେ ବ୍ରାହ୍ମଣ ବ୍ରାହ୍ମଣୀ l
ଶ୍ରବଣ ନାମରେ ଥିଲା ତାଙ୍କ କୁମର
ପିତା ମାତା ଭକତିରେ ସଦା ତତ୍ପର l
ସେବେ ଜନକ ଜନନୀ ମନକୁ ଜାଣି
ପୁତ୍ର ସୁଖେ ସୁଖି ଥାନ୍ତି ଅନ୍ଧ ଅନ୍ଧୁଣି l
ଦିନେ ଅନ୍ଧମୁନୀ ବୋଲେ ଶୁଣରେ ପୁତ୍ର
ଚତୁର୍ଥ ସମୟ ଇଚ୍ଛା ଭ୍ରମଣ ତୀର୍ଥ l
ଶ୍ରବଣ କୁମାର ପିତା ମନକୁ ଜାଣି
ମାତା ପିତା ବସାଇ ଭାର ନିର୍ମାଣି l
କାନ୍ଧରେ ବୋହିଣ ନାନା ତୀର୍ଥ ବୁଲାଇ
ଅଯୋଧ୍ୟା ନଗର ପ୍ରାନ୍ତେ ମିଳିଲା ଯାଇ l
ସରଜୁ ନଦୀର ତୀରେ ହୋନ୍ତେ ପ୍ରତ୍ୟୁଷ
ବିଚାରେ ରାତ୍ରେ ଏଠାରେ କରି ନିବାସ l
କାଲି ପ୍ରଭାତରୁ କାଶୀ କ୍ଷେତ୍ରେ ଚଳିବ
ବିଧାତା ଲିଖନ ସିନା ଭୋଗେ ମାନବ l
ବୋଲନ୍ତି ଅନ୍ଧ ଅନ୍ଧୁଣି ଶୁଣରେ ପୁତ୍ର
ଜଳ ଆଣିଦିଅ ବାବୁ ଆମେ ତୃଷ୍ଣାର୍ତ୍ତ l
ଶୁଣି ଶ୍ରବଣ କୁମାର ଆଜ୍ଞା ଘେନିଣ
ଘଟ ଘେନି ଜଳତୁଠେ ମିଳେ ଯାଇଣ l
ଘଟରେ ପୁରାନ୍ତେ ପାଣି ବକ୍ଷରେ ତାର
ଅକସ୍ମାତ ଆସି କାହୁଁ ବାଜିଲା ତୀର l
ବଞ୍ଚାଅ ଗଲା ପରାଣ କିଏ ମାରିଲ
ଅକାରଣେ ବ୍ରାହ୍ମଣ ପୁତ୍ରକୁ ନାଶିଲ l<
/p>
ମାତା ପିତା ଦୃଷ୍ଟିହୀନ କେହ୍ନେ ମୋ ବିନା
ବଞ୍ଚିବା କଥା ମନରେ ଭାବି ପାରେନା l
ଏକଥା ଅଯୋଧ୍ୟା ରାଜା କର୍ଣ୍ଣେ ପଡ଼ନ୍ତେ
କିକଲି କିକଲି ବୋଲି ଭାବନ୍ତି ଚିତ୍ତେ l
କିକଲି ମୁହିଁ ହୀନ ଅଜ୍ଞାନ ପାମର
ଅକାରଣେ ନାଶକଲି ଋଷି କୁମାର l
ଶ୍ରବଣ ପାଶରେ ଦଶରଥ ମିଳିଲେ
ଦ୍ରୋହ କରିଲି ବୋଲିଣ ପାଦେ ପଡ଼ିଲେ l
ଶ୍ରବଣ ବୋଇଲା ରାଜା ବିଧି ଲିଖିତ
ଦିଅ ନେଇ ଜଳ ମାତା ପିତା ତୃଷିତ l
ଦଶରଥ ଜଳ ନେଇ ଦେବାର କାଳେ
ପୁତ୍ର ନୁହେଁ ବୋଲି ମାତା ପିତା ଜାଣିଲେ l
ଅଭିଶାପ ଦେଲେ ପୁତ୍ର ମୁଖ ନଦେଖି
ଆମ୍ଭ ପରାୟ ମରିବୁ ହୋଇଣ ଦୁଃଖୀ l
ଅଗ୍ନି ଜାଳି ଦିଅ ଆମ୍ଭେ ପୁତ୍ର ସହିତ
ଝାସିବୁ ଜୀବନ ଏହା ଅଟଇ ସତ୍ୟ l
ରାଜା ଅଗ୍ନି ଜାଳି ତହିଁ ଦୁଃଖ ମନରେ
ପ୍ରବେଶ ହୋଇଲେ ଯାଇ ଅଯୋଧ୍ୟା ପୁରେ l
ଅନ୍ଧ ଅନ୍ଧୁଣି ଶ୍ରବଣ ଝାସ ଦେଇଣ
ଅମର ଭୁବନ ଗଲେ କହେ ପୁରାଣ l
ଶ୍ରବଣ କୁମାର ପ୍ରାୟ ପୁତ୍ର ସଂସାରେ
ଖୋଜିଲେ ମିଳିବ ନାହିଁ କଳି ଯୁଗରେ l
ସ୍ବର୍ଣ୍ଣ ଅକ୍ଷରେ ପୁରାଣ ଆଜିବି କହେ
ଧନ୍ୟ ଶ୍ରବଣ କୁମାର ଗୀତି କୁ ଗାଏ l