କୃଷ୍ଣ ସୁଦାମା
କୃଷ୍ଣ ସୁଦାମା
ବିବୁଧ ବୁଦ୍ଧେ ଡେରିବା ଶ୍ରବଣ
ବର୍ଣ୍ଣନା ରେ ବଖାଣିବା ପୁରାଣ l
ଭଗବାନ ବାସୁଦେବଙ୍କ ଗୁଣ
ଧନ୍ୟ ପ୍ରଭୁ ବନ୍ଧୁ ଚରଚା ପଣ ଯେ l
ଯଶ ଉଡ଼େ ତ୍ରିଭୁବନ
ଦ୍ୱାରିକାଧିପତି ବନ୍ଧୁ ସୁଦାମାର ଦାରିଦ୍ର୍ୟ କଲେ ହରଣ l01l
ଶ୍ରୀକୃଷ୍ଣ ସୁଦାମା ବାଲ୍ୟ ବେଳରେ
ସହପାଠୀ ଥିଲେ ଗୁରୁକୁଳରେ l
କ୍ରମେ ହୋଇଲା ଶିକ୍ଷା ସମାପତ
ସମୟ ଚକ୍ରକୁ କେହୁ ଜାଣେତ ଯେ l
ଈଶ୍ୱର ମାୟା କବଳେ
ଶ୍ରୀକୃଷ୍ଣ ଭୂପତି ସୁଦାମା ଦରିଦ୍ର ଅତି ଦୁଃଖେ କଷ୍ଟେ ଚଳେ l02l
ନିତ୍ୟ ପତ୍ନୀ ସନ୍ତାନଙ୍କ ନିକଟେ
ଶ୍ରୀକୃଷ୍ଣ ଦିବ୍ୟଲୀଳା ସର୍ବ ରଟେ l
ଦିନେ ପତ୍ନୀ କହେ ଶୁଣ ବଚନ
ବୋଲୁଛ ତୁମ ବନ୍ଧୁ ଭଗବାନ ଯେ l
ଯାଅ ତାଙ୍କ ସନ୍ନିଧାନ
କେତେଦିନ କ୍ଷୁଧା କଷ୍ଟେ ସର୍ବେ ଆମ୍ଭେ ଧରିବା ଆଉ ଜୀବନ l03l
ଦାରା ବିନତି ଶୁଣୁ ପ୍ରତିଦିନ
ବାହାର ହୋଇଲା ଦୀନ ବ୍ରାହ୍ମଣ l
କାନିରେ ବାନ୍ଧି ଖୁଦ ତିନି ମୁଠି
ଯାତ୍ରା ଆରମ୍ଭିଲା ପକାଇ ଗଣ୍ଠି ଯେ l
ଏକପକ୍ଷ ହୋଇ ଶେଷ
ଯାତ୍ରାରେ ଅବଶ ଅବୟବ ଦିଶେ ଦ୍ଵାରକା ଦ୍ୱାରେ ପ୍ରବେଶ l04l
ଦ୍ଵାରୀ ବୋଇଲା ହେ ଦୀନ ବ୍ରାହ୍ମଣ
କାହୁଁ ଅଇଲ କେଣିକି ଗମନ l
ସୁଦାମା ବୋଲେ ମିତ୍ର ମୋର କୃଷ୍ଣ
ସୁଦାମା ମୋ ନାମ ଦିଅ ସନ୍ଦେଶ ଯେ l
ଶୁଣି ଦ୍ଵାରୀ ଚଳିଗଲେ
ସୁଦାମା ନାମରେ ଦ୍ଵିଜ ଏକଆସି ଆପଣଙ୍କ ମିତ୍ର ବୋଲେ l05l
ଶୁଣି ଶ୍ରୀକୃଷ୍ଣ ଉଠି ତଡ଼ବଡ଼ି
ନାହିଁ ଜୋତା ପାଦେ ଶିରେ ପଗଡି l
ସୁଦାମା ପାଶେ ହୋଇ ପରବେଶ
ଆଲିଙ୍ଗନ କଲେ ହୋଇ ହରଷ ସେ l
ହୋଇ ପ୍ରେମ ଗଦଗଦ
କହି ଏତେଦିନେ ପଡ଼ିଲିକି ମନେ ମିଳିଲା ଦିବ୍ୟ ଆନନ୍ଦ l06l
ପାଛୋଟି ଘେନିଣ ନେଲେ ଭବନ
ଶୀତଳ ଜଳେ ଧୋଇଲେ ଚରଣ l
ସ୍ୱାଦିଷ୍ଟ ମିଷ୍ଟ ଭୋଜନ କରାଇ
ବାର୍ତ୍ତାଳାପେ ବୋଲନ୍ତି ଭାବଗ୍ରାହୀ ଯେ l
ମୋହର ପାଇଁ କି ମିତ୍ର
କିଆଣି ଆସିଛ ଦିଅନ୍ତୁ ତ୍ୱରିତ ଶୁଣି ସୁଦାମା ଶଙ୍କିତ l07l
ଏ କଥା ଶୁଣିଣ ଲୁଚାଏ ଖୁଦ
ବିଚାରେ କେମନ୍ତେ କୃଷ୍ଣଙ୍କୁ ଦେବ l
ଦେଖିଣ ଶ୍ରୀକୃଷ୍ଣ ନେଲେ ଛଡ଼ାଇ
ଆନନ୍ଦେ ଦେଲେ ବେନି ମୁଠା ଖାଇ ଯେ l
ପୁଣି ଶେଷ ମୁଠା ଧରି
ରୁକ୍ମିଣୀ ଧଇଲେ ପ୍ରଭୁଙ୍କର କର ଆମକୁ ଦେଲ ପାଶୋରି l08l
ଏମନ୍ତେ ପୁଣି କିଛି ଦିନ ଗଲା
ବିଦାୟ ନେଇ ସୁଦାମା ଫେରିଲା l
ନିଜ ପୁର ଦେଖି ହେଲା ଆଶ୍ଚର୍ଯ୍ୟ
ପୁରି ରହିଛି ସକଳ ଐଶ୍ଵର୍ଯ୍ୟ ଯେ l
ଦରିଦ୍ରରେ କୋଟିନିଧି
ବିହେ ପ୍ରେମାନନ୍ଦ ଦରିଦ୍ର ବାନ୍ଧବେ ଦେଇଅଛନ୍ତି ଅବଧି l09l
