STORYMIRROR

CHINMAYEE PRADHAN

Abstract Classics Inspirational

4  

CHINMAYEE PRADHAN

Abstract Classics Inspirational

ଜାଗିଉଠ ତୁମେ ଆଜି

ଜାଗିଉଠ ତୁମେ ଆଜି

1 min
403

ଜାଗରେ ସରଳ ଜାଗରେ ଦୁର୍ବଳ

   ଜାଗରେ କଙ୍କାଳ ଆଜି,

ତେଜରେ ଅଳସ ତେଜରେ ବିଳାସ

   ଜାଗିଉଠ ତନ୍ଦ୍ରା ତେଜି।


ଶୋଇ ପଡିଥିଲେ ଶୋଇ ପଡିଥିବୁ

   ଉଠାଇବେ ନାହିଁ କେହି,

ଲୋଭର ଚାଦର ଘୋଡାଇ ଦେବେରେ

  ମୋହନିଦ୍ରା ଯିବୁ ତୁହି ।


ଅଳସୁଆ ହେଇ ବସି ଖାଉଥିଲେ

   ସରେ ପରା ନଈବାଲି,

କର୍ମ ନ କରିଲେ କର୍ମକୁ ଡରିଲେ

   କୋଷ ହେବ ତୋର ଖାଲି।


ତୋ ପୁର୍ବପୁରୁଷେ ଥିଲେ କେତେ ବୀର 

   ଇତିହାସ କହେ କଥା, 

ତାଙ୍କରି ସନ୍ତାନ ହେଇ ପୁଣି ତୁହି 

   ନୁଆଁଉ ତାଙ୍କର ମଥା। 


କେତେ ଅତ୍ୟାଚାର ସହିଛିରେ ଶୁଣ 

   ଏଇ ଉତ୍କଳ ଜନନୀ, 

କେତେକେତେ ବୀର ଆତ୍ମ ବଳିଦାନେ

   ମୁକ୍ତି ସେ ପାଇଛି ପୁଣି। 


ଉତ୍କଳଗୌରବ ଫକୀର ମୋହନ 

   କର୍ମବୀର ସାଥେ ମିଶି, 

ଓଡ଼ିଆ ଜାତିକୁ ଠିଆ କଲେ ପୁଣି 

   ସ୍ଵତନ୍ତ୍ର ଉତ୍କଳବାସୀ। 


ଜାତୀୟ ସଂଗ୍ରାମେ ଭଞ୍ଜ କୃଷ୍ଣଚନ୍ଦ୍ର

   ଗୋପବନ୍ଧୁ ପରି ନେତା, 

ବିଦେଶୀଶାସକ ବିରୋଧେ ଲଢ଼ି ସେ 

   ଉଚ୍ଚ କଲେ ଆମ ମଥା। 


ତୋ ପୁର୍ବପୁରୁଷେ ଜୟ କରିଥିଲେ 

  ଗଙ୍ଗା ଠାରୁ ଗୋଦାବରୀ, 

ତାଙ୍କରି ଦାୟାଦ ଅଟୁ ପରା ତୁରେ 

   କେଉଁ ଗୁଣେ ତାଙ୍କ ସରି। 


ଚାହିଁ ରହିଛନ୍ତି ଦଲାଲ ତତେରେ

   ଛଞ୍ଚାଣ ଶାଗୁଣା ପରି, 

ସଜାଗ ନ ହେଲେ ଟେକିନେଇ ତତେ

   ଛିନ୍ନ ଭିନ୍ନ ଦେବେ କରି। 


ଜାଗରେ ଶ୍ରମିକ ଜାଗରେ କୃଷକ 

   ଜାଗରେ କଙ୍କାଳ ଆଜି, 

ସିଧା କର ତୁମ ଭଗ୍ନ ମେରୁଦଣ୍ଡ 

   ଛିଡ଼ାଇ ଶୃଙ୍ଖଳ ରାଜି। 


ଜାଗରେ ଜନନୀ ଜାଗରେ ଭଗିନୀ 

   ଜାଗ ଶକ୍ତି ସ୍ଵରୂପିଣୀ, 

ଶଂକିତ ହେଉରେ କମ୍ପିତ ପ୍ରାଣରେ 

   ତୁମ ନାମ କର୍ଣ୍ଣେ ଶୁଣି। 


ଜାଗ ଛାତ୍ରଗଣ ଜାଗରେ ଯୁବକ 

   ଜାଗ ଭବିଷ୍ୟତରାଜି, 

ଅଜ୍ଞାନ ଅନ୍ଧାର କରିଦିଅ ଦୂର 

    ଜାଗିଉଠ ତୁମେ ଆଜି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract