ଇନ୍ଦ୍ରଧନୁ
ଇନ୍ଦ୍ରଧନୁ
ବଜା ବଜା ବଜା ତେଲିଙ୍ଗି ବାଇଦ
ଏବେ ଗଲା ଗ୍ରୀଷ୍ମକାଳ ।।
ବରଷାର କାଳ ମଞ୍ଚରେ ଶବଦ
ଆକାଶେ ବାରିଦ ମାଳ ।।
ଟୁପୁରୁ ଟାପୁରୁ ମେଘ ବରଷଇ
ପଡ଼ି ଡାହାଣିଆ ଖରା ।
ସକ୍ରର କାର୍ମୁକ ପୂରୁବ ଗଗନେ
ଦିଶୁଅଛି କେଡ଼େ ତୋରା ।।
ବକାଳିକା ମାଳ ଉଡ଼ି ଯାଉଛନ୍ତି
ଅସ୍ତାଚଳେ ବୁଡ଼େ ଭାନୁ ।
ସାତ ବର୍ଣ୍ଣେ ଦେଖ ବର୍ଣ୍ଣାଳି ରଚିଛି
ନାମ ତାର ଇନ୍ଦ୍ରଧନୁ ।।
ସପ୍ତ ମେଘ ମିଶି ବରଷା କରନ୍ତି
ଫୁଲି ଉଠିଛନ୍ତି ନଦୀ ।
ମନେ ହୁଏ ପ୍ରତେ ସାୟକ ହସ୍ତରେ
ଉଭା ନିଜେ ଜମ୍ଭଭେଦୀ ।।
ଅବା ବୁତ୍ର ଯୁଦ୍ଧେ ଗୋକୁଳ ବିବାଦେ
ସକ୍ର ଚାପେ ଦେଇ ଭିତ୍ତି ।
ଘୋର ମନ୍ଦ୍ରନାଦେ କୁଳିଶ ବର୍ଷନ୍ତି
ସରଗରୁ ଶଚିପତି ।।
ସାତଗୋଟି ରଙ୍ଗ ଆଦ୍ୟ ଅକ୍ଷର
ତା ବାଘନିସ ଓ ହନାଲା ।
ବାଇଗଣୀ,ଘନ,ନୀଳ,ଓ ସବୁଜ
ବାଘନିସ ତକ ଗଲା ।।
ହଳଦୀ, ନାରଙ୍ଗୀ, ଲାଲ ଆଉ ରଙ୍ଗ
ଏହି ପରି ସାତଗୋଟି ।
ନିମ୍ନ ଗତି କରି ନିମ୍ନଗା ଧାବନ୍ତି
ମନେ ଆସେ ବଡ଼ ଭିତ୍ତି ।।
ଇନ୍ଦ୍ରଧନୁ ମଧ୍ୟେ ରଙ୍ଗ କେ ଭରିଲା
ବିଜ୍ଞାନୀ ଯାହା କହନ୍ତି ।
ସୂରୁଜ କିରଣ ମୁରୁଜ ଏ ଭାଇ
ସ୍ରଷ୍ଟା ତାର ଛାୟାପତି ।।
ବରଷାର ସ୍ରଷ୍ଟା ସେହି ୠତୁପତି
ଗ୍ରୀଷମେ ଜଳାନ୍ତି ଧରା ।
ଗ୍ରୀଷମର ଶେଷେ ବରଷା ବରଷେ
ଜଳ କଣା ବାରିଧାରା ।।
ଛାତିକୁ ଫୁଲାଇ ପୁଚ୍ଛ ଦୋହଲାଇ
ନାଚନ୍ତି ବନେ ମୟୁର ।
ପ୍ରାଣୀଙ୍କ ମଙ୍ଗଳେ ବରଷା ବିଜୟ
ଶ୍ୟାମ ଶୋଭା ମଞ୍ଚପୁର ।।
ଇନ୍ଦ୍ରଧନୁ ଶୋଭା ଅତି ମନଲୋଭା
ନ ଯାଏ ନୟନୁ କେବେ ।
କ୍ଷଣସ୍ଥାୟୀ ତାର କାୟା ମାୟା ଯଥା
ଧନ,ମାନ,ଜନ,ଭବେ ।।
ଧନ୍ୟ ଦେଲ ପ୍ରଭୁ ହେ ବିଶ୍ୱ ବିଧାତା
ବକ୍ର ସକ୍ରଚାପେ ରଙ୍ଗ ।
ଖଞ୍ଜି ଦେଲ ସୁଖ କାଳ ନିଏ ହରି
ଦି ଦିନ ଏ ଭଵରଙ୍ଗ ।।