ଗୁମୁରି କାନ୍ଦୁଛି ଭାରତ ମାଆ
ଗୁମୁରି କାନ୍ଦୁଛି ଭାରତ ମାଆ
ଗୁମୁରି କାନ୍ଦୁଛି ଭାରତ ମାଆ ୲
କି ଥିଲା ଏ ଦେଶ କି ହେଲା ଆହା ! ॥୧॥
ଋଷି ମୁନିଙ୍କର ଥିଲା ଏ ଦେଶ ୲
ଜନମିଲେ ସୁଜ୍ଞ ବିଜ୍ଞ ଅଶେଷ ॥୨॥
ବିତରିଲେ ବିଶ୍ବେ ଆଲୋକ ଧାରା ।
ଉଦ୍ଭାସିତ ହେଲା ଜଗତ ସାରା ॥୩॥
କେତେ ଶୂର ବୀର ହେଲେ ଜନମ ।
କରିଗଲେ ନିଜ ନିଜ କରମ ॥୪॥
ବିଦେଶୀ ଆସିଲେ ବଣିଜ କରି ।
ଧରିଲେ ଏ ଦେଶ ଶାସନ ଡୋରି ॥୫॥
ବେଦଜ୍ଞାନ ସୁନାରୂପା ଲୁଟିଲେ ।
ସଂସ୍କୃତି ତାଙ୍କର ବିସ୍ତାର କଲେ ॥୬॥
ପରାଧୀନ ହେଲା ଭାରତ ମାଆ ।
ବିକଳେ କାନ୍ଦିଲା ଦିଶିଲା ରାହା ॥୭॥
ବଳିଦାନ ଦେଲେ କେତେ ସୁପୁତ୍ର ।
ସ୍ଵାଧୀନ ହୋଇବ ଦେଶ ଭାରତ ॥୮॥
ଗାନ୍ଧିଜୀଙ୍କ ଅହିଂସାର ବାରତା ।
ଆଣିଦେଲା ଏ ଦେଶ ସ୍ବାଧୀନତା ॥୯॥
ସ୍ବପନ ଥିଲା ତାଙ୍କ ରାମ ରାଜ୍ଯ ।
କି ଥିଲା ଏ ଦେଶ କି ହେଲା ଆଜ ॥୧୦॥
ଚୋରି ଡକାୟତି ହତ୍ୟା ଲୁଣ୍ଠନ ।
ଠକାମି ଗୋଲାମି ନାରୀଧର୍ଷଣ ॥୧୧॥
ସାଇବର ଠକେଇ ଯାଇଛି ବଢି ।
କିଳାପୋତେଇ ତ ବସିଛି ମାଡି ॥୧୨॥
ନାରୀ ରହିଅଛି ଅସୁରକ୍ଷିତ ।
ହୁଣ୍ଡା ଗୁଣ୍ଡାଙ୍କର ଚଳେ ରାଜତ୍ବ ॥୧୩॥
ବୁଦ୍ଧିଜୀବୀ ରହେ ନୀରବ ହୋଇ ।
ଅସାମାଜିକଙ୍କ ଭୟ ନାଚଇ ॥୧୪॥
ରକ୍ଷକ ସାଜିଛି ଭକ୍ଷକ ଏଠି ।
ପାଟି ଫିଟାଇଲେ ବସିବ ଲାଠି ॥୧୫॥
ମାନବୀୟ ମୂଲ୍ୟବୋଧ ହଜିଛି ।
ଧରାହେଲେ ଚୋର ଜେଲ୍ ଯାଉଛି ॥୧୬॥
ଜେଲରୁ ବାହାରି ପୁଣି ସେ ଚୋରି।
ଜେଲକୁ ଘର ସାରିଛି କରି ॥୧୭॥
ରାଜନୀତି କଥା ବଡ ଗହନ ॥
ସହିବା ଲୋକର ଯାଏ ଜୀବନ ॥୧୮॥
ଝିଣ୍ଟିକା ମାରି ବଣି ପୋଷା ନୀତି ।
ସରକାରୀ ବାବୁ ଏବେ କରନ୍ତି ॥୧୯॥
ମାଓବାଦୀ ଦେଶେ ଅଛନ୍ତି ପୂରି ।
କିଏ ସେ ପାରିବ ସଭିଙ୍କୁ ଧରି ? ୨୦॥
ସନ୍ତ୍ରାସବାଦୀ ଏ ଦେଶ ଭିତରେ ।
କାଣ୍ଡ କରୁଛନ୍ତି କେତେ ପ୍ରକାରେ ॥୨୧॥
ଗୁମୁରି କାନ୍ଦୁଛି ଭାରତ ମାଆ ।
କିଏ ଏବେ ତାର ହୋଇବ ସାହା ॥୨୨॥
ଏକ ମନ ଏକ ପରାଣ ହୁଅ।
ଜାତୀୟ ପତାକା ତାର ଉଡାଅ ॥୨୩॥
ସେ ପତାକା ତଳେ କର ଶପଥ ।
ମୋ ଦେଶବାସୀଏ ହୁଅ ଜାଗ୍ରତ ॥୨୪॥
ଦେଶପ୍ରେମ ବହ୍ନି ଆସ ଜାଳିବା ।
ଦୁର୍ନୀତିର ମୂଳ ଛେଦ କରିବା ॥୨୫॥
ସରବେ ହସିଲେ ମାଆ ହସିବ ।
ଦୁଃଖ ଦୁର୍ଦ୍ଦିନ ତା ଦୂର ହୋଇବ ॥୨୬॥
