ଇନ୍ଦ୍ରଧନୁ
ଇନ୍ଦ୍ରଧନୁ
ବରଷା ଛାଡିଲେ ଆକାଶ ଦେହରେ
ଇନ୍ଦ୍ରଧନୁ ପଡିଥାଏ
ସପତ ରଙ୍ଗରେ ରଙ୍ଗେଇ ହେଇ ସେ
ତନୁ ମନ ମୋହି ନିଏ ।
ଅର୍ଦ୍ଧ ବୃତ୍ତାକାର ତାହାର ଶରୀର
ଲୋଭନୀୟ ହେଇ ଥାଏ
ଝିପି ଝିପି ବର୍ଷା ସୁରୁଯ କିରଣେ
ସୌନ୍ଦର୍ଯ୍ଯ ତା ବଢି ଯାଏ ।
ସମସ୍ତେ କୁହନ୍ତି ସ୍ୱର୍ଗର ଦେବତା
ଇନ୍ଦ୍ର ବୃଷ୍ଟି କରୁଥିଲେ
ସେଇ ଇନ୍ଦ୍ରଧନୁ ପଡିଛି ଆକାଶେ
କରେ ତାକୁ ଧରି ଥିଲେ ।
ସେ ଇନ୍ଦ୍ରଧନୁର ଦେହେ ସପ୍ତ ରଙ୍ଗ
ମନକୁ ମୋହିତ କରେ
ବୁଢା ଠାରୁ ପିଲା ବାହାରକୁ ଆସି
ଦେଖୁଥାନ୍ତି ଆନନ୍ଦରେ ।
ଏଇ ଇନ୍ଦ୍ର ଧନୁ ଯୋଗୁଁ ସପ୍ତ ରଙ୍ଗ
ମନେ ରହେ ସହଜରେ
ସାତଟି ରଙ୍ଗର ସାତଟି ଅକ୍ଷର
ଛାପି ରହେ ହୃଦୟରେ ।
'ବା' ରୁ ଆସଇ ବାଇଗଣି ରଙ୍ଗ
'ଘ' ରୁ ଯେ ଘନନୀଳ
'ନ' ରୁ ଯେ ନୀଳ 'ସ' ରୁ ସବୁଜ
'ହ' ରୁ ହଳଦୀ ଚଳ ।
'ଲା' ରୁ ତାହାର ଲାଲ୍ ରଙ୍ଗ ହୁଏ
'ନା' ରୁ ନାରଙ୍ଗୀ ଜାଣ
ଏଇ ସାତ ରଙ୍ଗ ନେଇ ଚିତ୍ରକର
ଚିତ୍ର କରିଥାନ୍ତି ପୁଣ ।
ଗୋଟିଏ ଶଦ୍ଦରେ ମନେ ରଖିଥାନ୍ତି
ସେ ବାଘନିଶହଲାନା
ଏଇ ଶଦ୍ଦଟିକୁ ହୃଦୟ ମନରୁ
କେହି ବି ଭୁଲି ପାରେନା ।
ଏବେବି ପିଲାଏ ଖେଳ ଯେ ଖେଳନ୍ତି
ଏଇ ଶଦ୍ଦଟିକୁ ନେଇ
ତାହାରି ପାଖରୁ ସାତଟି ରଙ୍ଗକୁ
ଶିଖି ଯାଇ ଥାନ୍ତି ସେଇ ।
ବରଷା ଆସିଲେ ହୃଦୟ ଇଲାକେ
ଆନନ୍ଦ ଲହରୀ ଖେଳେ
କେତେବେଳେ ଇନ୍ଦ୍ରଧନୁ ପଡିବ ସେ
ଦେଖିବେ ନୟନ ଡୋଳେ ।
ବର୍ଷା ଅଭାବରୁ ଇନ୍ଦ୍ରଧନୁ ଏବେ
ଦେଖିବା ସପନ ହୁଏ
ଏଇତ ମଣିଷ ବୃକ୍ଷକୁ କାଟୁଛି
ବରଷା କହୁଛି ବାଏ ।