STORYMIRROR

Sabita Nayak

Abstract

4  

Sabita Nayak

Abstract

ଈଶ୍ବର

ଈଶ୍ବର

1 min
440

ହେ ଈଶ୍ବର

ଦିନରେ ତ ତୁମେ ସୂର୍ଯ୍ୟର ଆଲୋକ

ଉଷାରାଣୀ ସାଥେ ଆସ

ଦିବସାନ୍ତେ ପୁଣି ଚାଲିଯାଅ ଯେବେ

ରାତ୍ରିହୁଏ ସଜବାଜ।


ଜନମନ ମୋହେ ଆକାଶେ ଚାନ୍ଦିନୀ

ପ୍ରେମର ମଧୁଜୋଛ୍ଛନା

କୋଟି ତାରାଗଣ ଯା'ପଦ ପଙ୍କଜ

କରନ୍ତି ସଦା ବନ୍ଦନା।


ପକ୍ଷୀଗଣ ସଦା ସଙ୍ଗୀତରେ ରତ

କୋଇଲିର ମଧୁସ୍ବରେ

କିଚିରିମିଚିରି ମନ ଚହଲାଏ

ବିଭୁ ତୁମ ଭାବନାରେ।


ପାହାଡ ଝରଣା ତୁମରି ତ ସୃଷ୍ଟି

ଅପରୂପ ମନୋହର

ନୃତ୍ୟରତା ସଦା ଚପଳା ଝରଣା

କୁଳୁକୁଳୁ ନାଦସ୍ବର।


କ୍ଷୁଧା ନିବାରଣେ ଖଞ୍ଜିଅଛ ପ୍ରଭୁ

ନାନାଜାତି ବୃକ୍ଷେ ଫଳ

ତୃଷ୍ଣାର ପୂରଣେ ଯତନେ ଗଢିଛ

କିସୁନ୍ଦର ବର୍ଷାଜଳ।


ଷଡଋତୁକରି ଖରା ବର୍ଷା ଶୀତ

ଭିନ୍ନ ଭିନ୍ନ ଅନୁଭବ

ବସନ୍ତକୁ କଲ ଋତୁରାଜ ତୁମେ

ଶରତ ହେମନ୍ତ ଭାବ।


ଛପନକୋଟିର ଜୀବଙ୍କର ସୃଷ୍ଟି

ଚମତ୍କାର ଲାଗେ ଭାରି

ଜଳ ସ୍ଥଳ ନଭେ ପୂରି ରହିଛନ୍ତି

ତୁମରି ଆଦେଶ ଧରି।


ସମୀର ବହଇ ମେଘ ବରଷଇ

ନୀତି ନିୟମରେ ସଦା

ପ୍ରକୃତି ନିୟମେ ଋତୁଚକ୍ର ହୁଏ

ସୂର୍ଯ୍ୟ ଚନ୍ଦ୍ର ପରା ବନ୍ଧା।


ଯତନେ ଗଢିଲ ଚମତ୍କାରି ଜୀବ

ନାମଟି ତା'ର ମନୁଷ୍ୟ

ଚବିଶ ପ୍ରକୃତି ଅତ୍ୟନ୍ତ ମାୟାବି

ସଭିଙ୍କୁ କରଇ ବଶ୍ୟ।


ମାନବ ଜୀବନେ ପ୍ରେମ ଦୟା ଧର୍ମ

ରୀତିନୀତି ପାପପୂଣ୍ଣ୍ୟ

କାହିଁକି ଭରିଲ ଈଶ୍ବରହେ ତୁମେ

ଛଳନା କପଟ ମାନ।


ଧର୍ମ ନାମେ କରେ ଅନେକ ଅଧର୍ମ

ତୁମ ନାମ ଧରି ଧରି

ଅନ୍ୟାୟ ଅନୀତି ବହୁତ କରଇ

ମୁହେଁ ମୁଖା ବାନ୍ଧି କରି।


ଲୋଡାନାହିଁ ପ୍ରଭୁ ମିଥ୍ୟା ମାୟାଲୋଭ

ଅଢେଇ ଦିନିଆ ସବୁ

ତୁମପାଦେ ମୋର ମନ ସମର୍ପିଲି

ଶରଣ ଦିଅହେ ବିଭୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract