ଈଶ୍ବର
ଈଶ୍ବର
ତୁମେ ସର୍ବବ୍ୟାପି, ତୁମେ ଅନାଦି ଅନନ୍ତ, ତୁମେ ଈଶ୍ବର
ତୁମେ ପିତାମାତା, ତୁମେ ବନ୍ଧୁସଖା, ତୁମେ ଜଗତ ଠାକୁର |
ତୁମେ ସବୁ ବେଦ, ତୁମେ ସୃଷ୍ଟିର ସ୍ରଷ୍ଟା, ଈଶ୍ବର
ବ୍ରହ୍ମା ତୁମ ଅଂଶ ,ତୁମ ଅଂଶ ପୁଣି ମହେଶ୍ବର |
ସୃଷ୍ଟି ରଚୟିତା ଆହେ ଈଶ୍ବର ତୁମେ ଶୃଙ୍ଖଳା ରଖିଲ,
ସବୁ ଦେବତାଙ୍କୁ ଭିନ୍ନ ଭିନ୍ନ ଦାଇତ୍ୱ ତୁମେ ଦେଲ |
ତୁମରି ଆଜ୍ଞାରେ ଈଶ୍ବର ବ୍ରହ୍ମା ସୃଷ୍ଟିକୁ ରଚି ଚାଲିଲେ ,
ଜଗତେ ତାଙ୍କୁ ସଭିଏଁ ସୃଷ୍ଟିକର୍ତ୍ତା ରୂପେ ମାନି ପୂଜିଲେ |
ସବୁ ବେଦକୁ ହେ ଈଶ୍ବର ତୁମେ ତାଙ୍କୁ ସମର୍ପିଲ,
ଜୀବ ଜଗତକୁ ସୁନ୍ଦରେ ରଚିବାକୁ ତୁମେ ଆଜ୍ଞା ଦେଲ |
ଅନନ୍ତ ଶୟନେ ତୁମେତ ଈଶ୍ବର ଚକ୍ଷୁ ମୁଦି ଶୋଇଲ,
କିନ୍ତୁ ତୁମ ଦିବ୍ୟଦୃଷ୍ଟି ବଳେ ସବୁ ଦେଖି ବୁଝିଲ |
ତୁମେ ଶାନ୍ତ, ତୁମେ ସତ୍ୟ ତୁମେ ଅଟ ପରମେଶ୍ୱର ,
ତୁମେ ଭୋଗୀ,ତୁମେ ଯୋଗୀ ଆଉ ତୁମେ ନିରାକାର |
ଅସତ୍ୟ, ଅଧର୍ମ, ପାପର ବିନାଶ ପାଇଁ ତୁମେ ଈଶ୍ବର
ଆଜ୍ଞା ଦେଇଛ ମହେଶଙ୍କୁ କରିବେ ସିଏ ସବୁ ସଂହାର |
କେତେ କେତେ ରୂପେ ତୁମେ ଜଗତ ଉଦ୍ଧାର ପାଇଁ
ଅବତରି ତୁମେ ଈଶ୍ବର ବୋଲାଇଛ ଏହି ଜଗତେ ଗୋସାଇଁ |
ତୁମେ ମାୟାଧର ତୁମେ ଚକ୍ରଧର ଈଶ୍ବର ତୁମେ ସୁନ୍ଦର,
ଯୁଗେ ଯୁଗେ ସଦା ତୁମେ କରିଛ ରକ୍ଷା ଧର୍ମର |
ତୁମେ ଅଟ ଜୀବ ତୁମେ ନିର୍ଜୀଵ ଭାବର ଈଶ୍ବର ,
ସବୁ ଭାବେ ତୁମେ ରହିଥାଅ ପ୍ରଭୁ ସଦା ନିରନ୍ତର |
ତୁମେ ଭାବଗ୍ରାହୀ ତୁମେ ଲୀଳାମୟ ଆହେ ଜଗତ ଈଶ୍ବର,
ସବୁ ଭାବ ବୁଝି କେତେ କେତେ ଲୀଳା କର |
ତୁମେ କର୍ମ ତୁମେ ଜ୍ଞାନ ତୁମେ ଭକ୍ତିର ଈଶ୍ବର ,
ସବୁ କରି କରାଉଥାଅ ତୁମେ ପ୍ରଭୁ ଜଗତ ଠାକୁର |
ମୁଁ ଜଣେ ଅଜ୍ଞାନୀ ଜଣ ତୁମେ ଆହେ ଈଶ୍ବର ,
କେମିତି ପୂଜିବି କେମିତି ହେବି ଦାସ ତୁମ ପାଦର ?
କେମିତି ରଖିବି ତୁମକୁ ପ୍ରଭୁ ମୋର ମନ ମନ୍ଦିରରେ ?
ଆହେ ଈଶ୍ବର ଟିକେ ମାର୍ଗ ଦର୍ଶନ କରାଅ ଥରେ |
