STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଇଛାର ଚିତ୍ରଗୀତି

ଇଛାର ଚିତ୍ରଗୀତି

2 mins
7

କବିତା - ଇଚ୍ଛାର ଚିତ୍ରଗୀତି
ରଚନା - ପଞ୍ଚାନନ ଜେନା
ତାରିଖ -୧୬-୧୦-୨୦୨୫
 ++++++++++++++++
 ଇଚ୍ଛାସବୁ ଆତ୍ମହତ୍ୟା କଲା ପରେ
ଜୀବନ ଭୂଇଁରେ ଚରିଯାଏ ବାଲିଚ଼ର
 ନା ଦିନ ନା ରାତି
ନା ଗତି ନା ମତି
ସବୁଠାରେ ରାଜୁତି କରେ ବହଳ ଅନ୍ଧାର ।-୧

 ଇଛାସବୁ ମରି ହଜି ଗଲା ପରେ
 ସମୟଟା ଲାଗେ ଅସରା ସଂସାର
 ନା ପାପ ନା ପୂଣ୍ୟ
ନା ଧର୍ମ ନା ଧାନ୍ୟ
ସବୁକ୍ଷେତ୍ରେ ହାକିମାତି କରେ ବିତୃଷ୍ଣା ଜହର |-୨

 ଇଛା ସବୁ ସମାଧି ନେଇ ଗଲା ପରେ
ସ୍ବପ୍ନସବୁ ଶୋଇପଡ଼ନ୍ତି ଶୂନଶାନ୍ ପ୍ରହର
ନା ଭଲ ନା ଭେଲ
ନା ଧର୍ମ ନା କର୍ମ
ସବୁସ୍ଥାନେ ଆସ୍ଥାନେ ପ୍ରସ୍ଥାନେ ଅଭାବର ପ୍ରହାର ।-୩

 ଇଚ୍ଛାସବୁ ଜଡ ଚେତନରେ ମିଶିଲା ପରେ
ବୁଲିବା ଝୁଲିବା ଡେଣା ମେଲି ଉଡିବା କବର
 ନା ସହର ନା ନଗର
ନା ମନ୍ଦିର ନା ଗିର୍ଜାଘର
ସବୁଠାରେ ନିରାଶା ହତଶାର ପଙ୍କିଳ ସ୍ୱାକ୍ଷର ।-୪

 ଇଚ୍ଛାସବୁ ଜଞ୍ଜାଳରେ ଘାଇଲା ହେଲା ପରେ
ସରଣୀ ଧରଣୀରେ କିଟିମିଟି ଅନ୍ଧାରୀ ସମ୍ବତ୍ସର
 ନା ଜହ୍ନ ନା ଆକାଶ
 ନା ବାରିଦ ନା ପ୍ରକାଶ
ସବୁଆଡ଼େ ସମସ୍ୟାର ଲେଲିହାନ ଶିଖା ପ୍ରଖର ।-୫

 ଇଚ୍ଛାସବୁ କୁଣ୍ଡଳୀ ଭିତରେ ଫସିଗଲା ପରେ
ମନ ମୟୁଖରେ ଦିଶିଯାଏ ଶୋକାଛନ୍ନ ଲହର
 ନା ଶୁଭ ନା ଅଶୁଭ
ନା ବିଳାସ ନା ବୈଭବ
 ସବୁବେଳେ ମନ ଗହନରେ ହାରିବାର ଚାବୁକ ପ୍ରହାର ।-୬

 ଇଛାସବୁ ଧର୍ମ ସଙ୍କଟରେ ପଡ଼ିଗଲା ପରେ
କର୍ତ୍ତବ୍ୟର ଦ୍ବାହୀ ଦେଇ ସଂପର୍କ ଫେରାର
 ନା ପ୍ରୟାସ ନା ବିକାଶ
ନା ବିଶ୍ୱାସ ନା ପ୍ରଶ୍ଵାସ
ସବୁଠାରେ ପାତକ ପତନର ଘନ ଘନ ହୁଙ୍କାର ।-୭

 ଇଛାସବୁ ଘୋଡ଼ଣୀ ଭିତରେ ଶୋଇଗଲା ପରେ
ପଦ୍ମବନରେ ଲାଗିଯାଏ ଲେଲିହାନ ନିଆଁ ଭୟଙ୍କର
ନା ମାୟା ନା ମୋହ
 ନା ଭୟ ନା ଅଭୟ
ସବୁଠାରେ ଆଲୋକପ୍ରିୟ ହେବାର ଚିହ୍ନ ନଜର |-୮

 ଇଛାସବୁ କମ୍ବଳ ଭିତରେ ପଶିଗଲା ପରେ
ହାଡଭଙ୍ଗା ପରିଶ୍ରମ ଲାଞ୍ଜ ଜାଙ୍କିଦିଏ ତତ୍ପର
ନା ଶ୍ରାବଣ ନା ଫଗୁଣ
ନା ଶୀତ ନା ଶରତ ସମୀରଣ
ସବୁଠାରେ ବିଫଳତାର ଅଲିଭା ପଦଚିହ୍ନ କାତର ।-୯

 ଇଚ୍ଛାସବୁ ଅନ୍ୟାୟ ଅତ୍ୟାଚାର ଦ୍ୱାହି ନେଲା ପରେ
ଅର୍ଥ ଅହଙ୍କାର ହୋହାଲ୍ଲା କରନ୍ତି ପନ୍ଧି ଘୁଙ୍ଗୁର
 ନା ସଂପଦ ନା ବିପଦ
 ନା ଆପଦ ନା ନିରାପଦ
 ସବୁଠାରେ ଅନର୍ଥର ପ୍ରଳୟଙ୍କରୀ ଜୁଆର ।-୧୦

 ଇଛାସବୁ ଅନିତି ଅଧର୍ମରେ ପାଦ ଦେଲା ପରେ
ଧର୍ମଠକ ଭଣ୍ଡ ପଳାତକ ମୁଣ୍ଡ ଟେକିନ୍ତି ଆଗଭର
ନା ଈଶ୍ବର ନା ଠାକୁର
 ନା ନାରାୟଣ ନା ମହେଶ୍ଵର
 ସବୁଠାରେ କ୍ଷମତା ଲୋଭର ଜୟ ଜୟକାର  ।-୧୧


Rate this content
Log in

Similar oriya poem from Tragedy