ଇଚ୍ଛାଟିଏ
ଇଚ୍ଛାଟିଏ
ବେଳେବେଳେ ---ବହୁଦୂର ଲାଗେ ହେଇତି
ନିକଟ ଲାଗଇ ଅନେକ ଦୂର ଯେମିତି
ମନ ମାନଚିତ୍ର ନୂଆପଣେ ହସି ଉଠନ୍ତି
ସ୍ୱପ୍ନ ଆଉ ସତ ମାନେ ଲୁଚକାଳି ଖେଳନ୍ତି
ଅଚିହ୍ନା ପର ହୃଦୟକୁ ଛୁଇଁ ନିଜର ହୁଅନ୍ତି
ନିହାତି ନିଜର କିନ୍ତୁ ପର ହୋଇ ଯାଅନ୍ତି।।
ବେଳେବେଳେ ଇଚ୍ଛାଟିଏହୁଏ---
ନିଜସାଥେ ଗପିବାକୁ ନିଜ ଛାଇ ମାପିବାକୁ
ଗୁଣୁଗୁଣୁ ଗୀତ ଗାଇ ମନେ ମନେ ହସିବାକୁ
ଅଦେଖା ହାତ ଅଜଣା ଭବିଷ୍ୟତେ ହଜିବାକୁ
ଆଶାକୁ ଚିରା ପଣତରେ ସାଉଁଟି ଭରିବାକୁ
କିଡ଼ନି ଆଖି ଦାନ ଦେଇ ମହାନ ବନିବାକୁ
ଇଚ୍ଛାର ଓଢଣୀ ଉଡାଇ ସାରା ଆକାଶ ଖେଦିବାକୁ!
ବେଳେବେଳେ ମନ ଚାହେଁ: ତୁମ ସଂଗେ
ହଜି ମଜି ଭିଜି ସିଝିବାକୁ ଏ ଜୀବନ ସାରା
ତୁମ ହାତ ଧରି ମାରିବାକୁ ଭବଡଙ୍ଗା ଆହୁଲା
ଖୋଲା ଆଖିରେ ମାଖି ମାଟି ମଟାଳ ସପନ
ହୋଇଯିବାକୁ ଏ ସୃଷ୍ଟିର ସୁଖୀ ମଣିଷ ପ୍ରଥମ
ପବନ ଟିକକ ମୋ ଦେହକୁ ପର କଲାଯାଏ
ତୁମେ ଥିବ ସାଥେ ମୋର ଏ ମୋ ଇଚ୍ଛାଟିଏ।

