ହସ ମୋ ଦେଖିଛ ଖାଲି
ହସ ମୋ ଦେଖିଛ ଖାଲି
ତୁମେ କି ଜାଣିଛ ମୋ ମନର କଥା
ହସ ମୋ ଦେଖିଛ ଖାଲି,
ମୁଖେ ଥାଏ ହସ ଅନ୍ତର ମୋହର
ତପ୍ତ ମରୁଭୂମି ବାଲି ।
ମରୁଭୂମି ବାଲି ସୃଷ୍ଟି କରେ ପୁଣି
ଦିବାଲୋକେ ମରୀଚିକା,
ତୃଷିତ ପଥିକ ହୋଇ ମୁଁ ଗୋଡ଼ାଏ
ଜାଣି ଶୁଣି ପ୍ରହେଳିକା ।
ପ୍ରହେଳିକା ଜାଣି ତଥାପି କାହିଁକି
ଆଶାର କିରଣ ଖୋଜେ,
ଅମାନିଆ ମନ କିଛି ବୁଝେ ନାହିଁ
ହଜେ ଭାବନା ରାଇଜେ ।
ଭାବନା ରାଇଜେ ହଜିଗଲା ପରେ
ଆଖି ପତା ମୁଦି ହୁଏ,
ଅଧୁରା ଇଛାର କେତେ ଯେ ସପନ
ନିଦରେ ମୋ ଛାଇ ଯାଏ ।
ନିଦ ଭାଂଗିଗଲେ ଖୋଲେ ଆଖି ପତା
ସପନ ବି ହୁଏ ଶେଷ,
ଖୋଜେ ନିଜକୁ ମୁଁ ଆପଣା ଭିତରେ
ଓଠେ ନେଇ ପୁଣି ହସ ।
ଓଠେ ହସ ଥିଲେ ଶତ୍ରୁ ଭୟ କରେ
ଲାଗେ ନାହିଁ ବ୍ୟତିବ୍ୟସ୍ତ,
ହସୁଥାଏ ତେଣୁ ଦୁଃଖରେ ଥିଲେ ବି
ଏହା ମୋର ମୂଳ ମନ୍ତ୍ର ।