ହରିହର ବେଶ
ହରିହର ବେଶ
ଶିବ ବିଷ୍ଣୁଙ୍କର ହୃଦୟେ ବିଷ୍ଣୁ ଶିବ ହୃଦୟେ
ନିବାସ କରନ୍ତି ଗୋଟିଏ ଆତ୍ମା ସିନା ଉଭୟେ ।
ଅଭେଦ ମୂରତି ଉଭୟେ ନାହିଁତ ପରାପର
ବଡ଼ଠାକୁର ବଳଭଦ୍ର ସ୍ବୟଂ ହି ହରିହର ।
ଶ୍ରୀକଣ୍ଠାଦି ନ୍ୟାସ ହୁଅଇ ବାସୁଦେବ ମନ୍ତ୍ରରେ
ପୂଜନ ହୁଅଇ ତାଙ୍କର , ହରିହର ବେଶରେ ।
କାର୍ତ୍ତିକ ମାସ ଦୀପାବଳି ପରେ ଦଶମୀ ଯାଏଁ
ସବୁ ସୋମବାର ପ୍ରଭୁଙ୍କର ଏ ବେଶଟି ହୁଏ ।
ଅବକାଶ ନୀତି ବଢିଲେ ଏ ହରିହର ବେଶ
ପ୍ରଭୁ ବଳଭଦ୍ର ହୁଅନ୍ତି ଲାଗେ ସ୍ଵର୍ଣ୍ଣ ବିଶେଷ ।
ଶ୍ରୀଅଙ୍ଗରେ ଅଧା ଧବଳ ଅଧା କୃଷ୍ଣ ବସନ
ସଜ୍ଜିତ ହୋଇ ବଳଭଦ୍ର ଦିଅନ୍ତି ଦରଶନ ।
ଚିତ୍ତାକର୍ଷକ ଏ ବେଶରେ ସୁବର୍ଣ୍ଣ ନଳିଭୁଜ
କର୍ଣ୍ଣରେ କୁଣ୍ଡଳ ଲାଗଇ ସୁବର୍ଣ୍ଣ ଚନ୍ଦ୍ର ସୂର୍ଯ୍ୟ ।
କଟିରେ ଓଡ଼ିଆଣି ଲାଗେ ପିନ୍ଧି ସୁବର୍ଣ୍ଣ ମାଳି
ଭକତ ହୃଦୟ ତୋଷନ୍ତି ପ୍ରଭୁ ଦିଶନ୍ତି ଝଳି ।
ବାଳଧୂପ ଯାଏଁ ପ୍ରଭୁଙ୍କର ଏ ବେଶଟି ରହେ
ଶିବ ବିଷ୍ଣୁଙ୍କ ସମନ୍ୱୟ ହରିହର ବେଶ ଏ ।