ହରି ଚରଣେ ଯାର ଶ୍ରଦ୍ଧା
ହରି ଚରଣେ ଯାର ଶ୍ରଦ୍ଧା


"ହରି " ଏ ଦୁଇଟି ଅକ୍ଷର
ଏ ସଂସାର ସାଗରେ ସାର ।
ହରି ନାମ ଯେ ଉଚ୍ଚାରଇ
ମୋକ୍ଷକୁ କଟୀବଦ୍ଧ ସେହି ।
ହରି ଚରଣେ ଯାର ଶ୍ରଦ୍ଧା
ତାକୁ ନଲାଗେ ଭଵ ବାଧା ।
ହରି ହିଁ ଶରଣ ରକ୍ଷକ
ଆର୍ତ୍ତିର ଆରତ ହାରକ ।
ସେ ହରି ସତ୍ ଚିତ୍ ଆନନ୍ଦ
ଭକ୍ତକୁ ଦିଅନ୍ତି ଆନନ୍ଦ ।
ସକଳ ସ୍ୱରୂପ ସେ ହରି
ଘଟ ଘଟରେ ବିଜେ କରି ।
ତ୍ରିଗୁଣ ଉର୍ଦ୍ଧ୍ବରେ ରହନ୍ତି
ନିର୍ଲେପ ଭାବକୁ ବହନ୍ତି ।
ପ୍ରାଣୀ କରମ କରେ ଯାହା
ଅବଶ୍ଯ ଭୁଞ୍ଜଇଟି ତାହା ।
ମୁଁ ମୋର ବୋଲି ଅହଙ୍କାରେ
ଜୀବ ସକଳ କର୍ମ କରେ ।
ସେ କର୍ମେ ସେ ହୁଏ ବନ୍ଧନ
ଭାର ବୁହଇ ଅନୁକ୍ଷଣ ।
ଏ ଜନ୍ମେ ଯାହା ନଭୁଞ୍ଜଇ
ପ୍ରାରବ୍ଧ ପର ଜନ୍ମେ ହୋଇ ।
ବିଷ୍ଣୁମାୟାରେ ମୋହି ହୋଇ
ଏ ଜୀବ କର୍ମ କରୁଥାଇ ।
ହରିଙ୍କୁ କର୍ମ ସମର୍ପଣ
କଲେ ଯାଏ ଭବ ବନ୍ଧନ ।
ହରି ଅନନ୍ତ ହରି କଥା
ଅନନ୍ତ ହରେ ଭବ ବ୍ୟଥା ।
ଯେଉଁଠି ଯାହା ଦରଶନ
କରୁଛ ହରି ବୋଲି ଘେନ ।
ଅବିଦ୍ୟା ଘୋର ଅନ୍ଧକାର
ଅଜ୍ଞାନ ମନେ ହେତୁକର ।
ଅଜ୍ଞାନ ନାଶ ହେବ ଯେବେ
ହରି ଦର୍ଶନ ହେବ ତେବେ ।
ହରି ଚରଣେ ଶ୍ରଦ୍ଧା କର
ହରିଙ୍କି ମନରେ ସୁମର ।
ମୁଖେ ଉଚ୍ଚାର ହରି ହରି
ଭବସାଗରୁ ଯିବ ତରି ।
ଆତ୍ମାରେ ହରି ବିନା ଆନ
ନାହିଁ ଏକଥା ମନେ ଘେନ ।
ହରି ନାମଟି ଗଣ୍ଠିଧନ
କର ହୃଦରେ ତାଙ୍କୁ ଧ୍ୟାନ ।
ମୁଖରେ ସଂକୀର୍ତ୍ତନ କର
ହରି ନାମ ଶୁଣ କର୍ଣ୍ଣର ।
ପ୍ରେମାନନ୍ଦରେ ପୂଜା କର
ମୂରତି ବିରାଜୁ ନେତ୍ରର ।
ସ୍ଥାନକୁ ପାଦେ ଯାତ୍ରା କର
ତୀରଥ ରହୁ ରସନାର ।
ହରିଙ୍କ ପ୍ରସାଦ ଭୋଜନ
ସାଷ୍ଟାଙ୍ଗେ ପ୍ରଣମ ଚରଣ ।
ଆହ୍ଲାଦେ ଭକ୍ତ ଆଲିଙ୍ଗନ
କରି ବଞ୍ଚିବ ଏ ଜୀବନ ।
ବିଅର୍ଥେ ନଯାଉ ଜୀବନ
ଏ ଶ୍ରେଷ୍ଠ ଧର୍ମ ସାର ଘେନ ।
ସତ୍ସଙ୍ଗ କର ଅହର୍ନିଶି
କୁସଙ୍ଗ ନପାରିବେ ପଶି ।
ଗୁରୁବାକ୍ୟକୁ ହୃଦେ ଧର
ସୋଽହଂ ହଂସଃ ସଦା ସୁମର ।
ହରି ଚରଣେ ରଖ ଶ୍ରଦ୍ଧା
ଖଣ୍ଡିବ ଭବ ବନ୍ଧ ବାଧା ।