ହୃଦୟଟା ରହୁ ସ୍ୱଚ୍ଛ
ହୃଦୟଟା ରହୁ ସ୍ୱଚ୍ଛ
ତୁମେ ସାହିତ୍ୟିକ, ଖୋଜିବାରେ ଥାଅ
ସମାଜର ହିତ
ନାହିଁ ଅବକାଶ, ସାହାସେ ବ୍ଯସ୍ତ ଥାଅ
ହୋଇ ଉପସ୍ଥିତ ।
ଧନୀ ନୁହଁ ତୁମେ, ଦେଇ ପାରିବନି ଧନ
ସମ୍ପତ୍ତି ଉପହାର
ଭାବନା ଶକ୍ତି ଅଛି ତମ ପାଶେ, ଦିଅ ତ
କବିତାର ଶୁଭେଛା ହାର ।
ଶାନ୍ତ ସ୍ୱଭାବ ଭାବୁକ ଚିତ୍ତରେ ଶବ୍ଦକୁ
ସଂଯୋଗ କରି
ଭାଷାକୁ ଭାବନା ଦେଇ ଛନ୍ଦ ଛାନ୍ଦରେ
ତିଆର କର ପଦ୍ୟ ଚାତୁରୀ ।
ଅବିଶ୍ରାନ୍ତ ଲେଖିଯାଅ, ଯାହା ଆସେ ତୁମ
ମନ ମାନସରେ
ବାଣ୍ଟି ଦିଅ ମଣିଷ ସମାଜକୁ ଖୁସି, ଯେତେ
ଥାଆନ୍ତି ବିଷାଦରେ ।
ଲେଖକର ମନ ପକ୍ଷୀ ଏକ ମୁକ୍ତ ବିହଙ୍ଗମ,
ନଥାଏ ପଞ୍ଜୁରୀ ଭିତର
ବିବେକାନୁଯାୟୀ ହୋଇଲେ ପରିଚାଳିତ,
ସୃଷ୍ଟି ହୁଏ ଅଦୃଶ୍ୟର ଗନ୍ତାଘର ।
ମହତ୍ ତତ୍ତ୍ୱକୁ ଜ୍ଞାନୀ ଜାଣି ଥାଏ, ମନକୁ
କରିପାରେ ସେ ଆୟତ୍ତ
ସତ୍ୟ ଧର୍ମ ପଥେ ସଦା ଚାଲୁ ଥାଏ, ତାର
ନିହିତ ଗନ୍ତବ୍ୟ ସତ୍ୟ ପଥ ।
ଯୋଡି ହେଲେ ବିବେକ ସଂଯମ ଡୋରିରେ
ଅନାବିଳ ପ୍ରେମ ଭରେ
ଚଉଦିଗେରେ ସ୍ନେହ, ଶାନ୍ତିର ଛନ୍ଦ ଗଢି, ଦିଏ
ଶାନ୍ତିର ବାର୍ତ୍ତା ସଂସାରରେ ।
ମନପକ୍ଷୀ ଯଦି ମୋହ ହିଂସା ଇର୍ଷା କ୍ରୋଧରେ
ଛନ୍ଦି ହୋଇ ରହି ଥିବ
ନପାଏ ଆଲୋକ, ଆବିଳ ଭାବନା, ଲୋଭ ମୋହେ
ନିରନ୍ତର ଜଡିତ ହେବ ।
ସମ୍ପ୍ରତି ସମୟେ ଭାବନାର ଶକ୍ତି ବନ୍ଧା ହୁଏ
ପଇସାର କରାୟତ୍ତେ
ପଇସାରେ ବିକ୍ରି ହେଇଯାଏ କବିର ଭାବନା
ଲାଗେ ଦୁଃଖ ମୋତେ ।
କିନ୍ତୁ ଯଦି ତୁମେ ଲେଖିବାର ନିହାତି
ଅଭିପ୍ରାୟ ସତରେ ଭୁଲିଯିବ
ପଢିଲେ ଆନନ୍ଦ ହୋଇପାରେ, ସତରେ
ଲେଖା କି ସାର୍ଥକ ହେବ ।
ଗ୍ରହଣ କରିବ ମୋ ଭାବନାକୁ ହେ ମୋର
ସାହିତ୍ୟିକ ଭଉଣୀ ଭାଇ
ନିଷ୍ଫଳ ହୋଇବ ସୁନ୍ଦର କବି ମନର ଭାବନା
ହୃଦୟଟା ଯେବେ ସ୍ୱଚ୍ଛ ନାହିଁ ।