STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ହୃଦ ପାନ୍ଥଶାଳା

ହୃଦ ପାନ୍ଥଶାଳା

1 min
370


ହୃଦୟ ଏମିତି ପାନ୍ଥଶାଳାଟିଏ

   ସବୁବେଳେ କିନ୍ତୁ ମେଲା,

ଅନେକ ଅତିଥି ଆସନ୍ତି ଯାଆନ୍ତି

   ଲାଗିଥାଏ ଠେଲାପେଲା।  


ନାହିଁ ନିମନ୍ତ୍ରଣ ନାହିଁ ଆବାହନ

   ନାହିଁ ଅତିଥି ସତ୍କାର,

ଅତିଥିଙ୍କ ଅଳି‌ ଅଝଟ‌ କାରଣେ

   ଅଯଥା ଲାଗିଛି ଗୋଳ।


କେହି ଦିଅନ୍ତନି କୋଠୀର‌ ପାଉଣା

   ସବୁ ତ ମିଳେ ମାଗଣା,

ହୃଦୟଟା ବୋଧେ ପର୍ଯ୍ୟଟନ ସ୍ଥଳ

   ଦେଖିଲେ ପଡ଼ିବ ଜଣା।


କେଉଁ ଅତିଥିଟି ବିଦେଶୀ ବାବୁଟି

   କେ ଆସେ ଜହ୍ନ ଦେଶରୁ,

କିଏ ଆସିଥାଏ ପରୀ ରାଇଜରୁ

   କିଏ କେଉଁ ସୀମାନ୍ତରୁ‌।


ସପନ ସବାରୀ‌ କିଏ ଆସେ ଚଢି

   କେ ଆସେ ଖୁସି ଡଙ୍ଗାରେ,

କିଏ ପୁଣି ରଙ୍ଗ ଅବିର ଉଡେଇ‌

    ପ୍ରେମର ବଣିଜ‌ କରେ।


କିଏ ଆସିଥାଏ ଯାତନା ରାଇଜୁ

   କେ ପୁଣି ଦୁଃଖ ଜିଲ୍ଲାରୁ,

କିଏ ଆସିଥାଏ‌ ପ୍ରଶଂସା ଘାଟରୁ

    କିଏ ନିନ୍ଦା ଇଲାକାରୁ।


କା'ହାତରେ ଶୋହେ କାମନାର ମୁଣି

    କା'ହାତରେ ଥାଏ ସ୍ବାର୍ଥ,

କେ ସାଥେଆଣିଛି ଲୋଭ ଟ୍ରଲିବ୍ଯାଗ୍

    କିଏ ପୁଣି ଖାଲି ହାତ।  


କେତେବେଳେ ହୃଦପାନ୍ଥଶାଳା ହସେ

    କାହା ବାହା‌ ଉତ୍ସବରେ,

କେବେ ପୁଣି ହୃଦକୋଠି ଭାଙ୍ଗିପଡେ

    କେଉଁ ଅମା ଅନ୍ଧକାରେ।


ଦୁଃଖରେ ହେଉକି‌ ସୁଖରେ ହେଉ

    ପାନ୍ଥଶାଳା ମୁଖରିତ,

ପାଞ୍ଚ ପଚିଶି‌ଆ ଅତିଥି ସର୍ବଦା

    ହେଉଛନ୍ତି ଆତଯାତ‌।  


ହୃଦ ପାନ୍ଥଶାଳା ସମ୍ମୁଖରେ ଅଛି

    ଭାବ ପ୍ରମୋଦ ଉଦ୍ୟାନ,

ତା' ପାଖେ ରହିଛି ପ୍ରୀତି ପୁଷ୍କରିଣୀ

    ଅତିଥି କରନ୍ତି ସ୍ନାନ।


ପାନ୍ଥଶାଳା ମୁଖ୍ୟ ଦ୍ଵାର ଦେଶେ ଠିଆ

    ମନ ସିକୁରିଟି‌ ଗାର୍ଡ,

ବିବେକ ନାମରେ ଷ୍ଟାଫ୍ ବଡ଼ବାବୁ

   ଖେଳ‌ଉଛି ରେଜିଷ୍ଟର‌।    


ନୀରବତା ନେଇ ଯଦି ସ୍ଥିର ହୋଇ

   କିଏ ଶାନ୍ତି ଖୋଜୁଥାଏ,

ଅନେକ ସମସ୍ୟା ଭାବନା ଚିନ୍ତନ

   ସେ କୋଠୀରେ ପଶିଯାଏ‌।


ଗୁପତରେ ପାଞ୍ଚବିଚାର କରନ୍ତି 

   ସେଠାରେ ଦୁଇ ଅତିଥି,

ବେଳକାଳ ଦେଖି ଚାଲିଯିବ଼େ ଖସି

   ଏ କଥା ଗୁପତ‌ ଅତି‌।   


ନିଶ୍ଚିତରେ ବସି ଉଠି ବି ହେଉନି

    ଅତିଥିଙ୍କ କୋଳାହଳ,

ଯେଉଁ କାର୍ଯ୍ୟ କଲେ ଏକାଗ୍ରତା କାହିଁ

   ରହୁନାହିଁ ବିଲ୍‌କୁଲ ।


ଶୋଇବା ଘଣ୍ଟାଏ ମାତ୍ର ଥାଏ ସୁଖ

   ଅନ୍ଯବେଳେ ଖାଲି ମୋହ,

ଅନଧିକାର ଏ ଅତିଥି ପ୍ରବେଶ 

   କରିଦିଏ‌ ଅତିଶୟ।


କେତେବେଳେଶୂନ୍ୟ ନାହିଁଏହି ସ୍ଥାନ

   ଲାଗିଅଛି‌ ଗୋଲାହାଟ‌,

କିଣାବିକା ଚାଲେ କିଛି ଦୁଃଖ ସୁଖ 

   ପାପପୁଣ୍ଯ ମିଛ ସତ।


ମଣିଷର ମଥା ନଥାଏ ସ୍ଥିରତା

   ଏମିତି ଅନେକ ଚିନ୍ତା,

ଅକ୍ଳେଶରେ ପଶି ହୃଦପାନ୍ଥଶାଳେ‌

    କରୁଥାନ୍ତି ନିତି ଯାତ୍ରା।


ମଦ୍ଯପ‌ ଅତିଥି ଷଢ‌ଋପୁ ଆଦି

   କରୁଥାନ୍ତି ହଟଗୋଳ,

ସ୍ନେହ ପ୍ରେମ ଶ୍ରଦ୍ଧା ସମ୍ପର୍କ ଆଦରେ 

   ପୁଣି ଶୁଭ ଅନୁକୁଳ।


ଧର୍ମ,ପରମ୍ପରା,ସଂସ୍କୃତି,ସଂସ୍କାର

   ଐତିହ୍ୟର ରଙ୍ଗ ମାରି,

ପାନ୍ଥଶାଳା କାନ୍ଥ ରଖ ହେ ମାର୍ଜିତ

   ଅଯଥା ବେଳ ନ ସାରି‌।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy