ହଁ, ମୁଁ ଗର୍ବିତ !
ହଁ, ମୁଁ ଗର୍ବିତ !
ସରକାରୀ ଇସ୍କୁଲରେ ପାଠ ପଢି ମୁଁ ଉଚ୍ଚ ଶିକ୍ଷିତ ଉଚ୍ଚ ପ୍ରତିଷ୍ଠିତ
ଇସ୍କୁଲ ପାଇଁ ମୁଁ ଗର୍ବିତ ସେଥିଲାଗି ଗର୍ବରେ ସ୍ଫିତ ମୋର ବକ୍ଷ
ଏଇ ଗାଁମାଟି ଗାଁ ଚାହାଳିରେ କେବେ ଦିନେ ଥିଲି ମୁହିଁ ଚାଟ
ସେଇ କଥା ଭାବନା ମାତ୍ରକେ ମନ ମୋହର ହୁଅଇ ଉଚ୍ଚାଟ।
ସମାଜର ସମସ୍ତ ସ୍ତରରେ ସବୁରି କ୍ଷେତ୍ରରେ ଯାଇଅଛି ମୁଁ ଛାଡି
ଅଲିଭା ସ୍ବର୍ଣ୍ଣିମ ସ୍ବାକ୍ଷର ଯାହା ରହିଥିବ ଚିରଦିନ ଉଜ୍ଜ୍ବଳ ଭାସ୍ବର
ଆଜି ବି ଯାହା କିଛି ମୁଁ ହୋଇଛି ସବୁ ଏଇ ଇସ୍କୁଲରେ ପାଠ ପଢି
ଜୀବନର ସାୟାହ୍ନରେ ମୁହିଁ ମୁକ୍ତ କଣ୍ଠରେ ତାହା କରଇ ସ୍ବୀକାର।
ଗାଁ ଇସ୍କୁଲରେ ପାଠ ପଢି ମୁହିଁ ହାସଲ କରିଛି ଜୀବନେ ଯାହା
ବିଦେଶୀ ବିଶ୍ୱବିଦ୍ୟାଳୟ ଡିଗ୍ରୀ ଧାରୀ କରି ପାରିବେନି ତାହା
ଅଭାବ ଅସୁବିଧାରେ ମୁଁ ଯେ ବଢିଛି ଗାଁ ଇସ୍କୁଲରେ ପାଠ ପଢିଛି
ଦୃଢ଼ ମନୋବୃତ୍ତି ନେଇ ଏଇ ଜୀବନ ଯୁଦ୍ଧରେ ସଦାସର୍ବଦା ଲଢିଛି।
କୌଣସି ଗୁଣରେ କାହାରି ଠାରୁ କେବେ ନୁହଁଇ ତ କମ୍ ମୁହିଁ
ଗାଁ ଇସ୍କୁଲରେ ପାଠ ପଢିଥିବାର ଜାଦୁଗରୀ କରାମତି ଏହି
କେବଳ ମୁଁ ତ ଏକା ନୁହେଁ ମୋ ପରି ଅନେକ ଏମିତି ସତୀର୍ଥ
ସରକାରୀ ଇସ୍କୁଲରେ ପାଠ ପଢି ଆଜି ବିଶେଷ ଭାବରେ ଗର୍ବିତ!
ଦେଶ ବିଦେଶେ ପ୍ରତିଷ୍ଠିତ ହୋଇଣ ରଖିଛନ୍ତି ଗାଁ ମାଟିର ଟେକ
ତାହାଙ୍କ ନାମରେ ଦୃଷ୍ଟାନ୍ତ ଦିଅନ୍ତି ଆଜି ପଞ୍ଚାୟତ ଯାକ ଲୋକ
ଆଜି କିନ୍ତୁ ଆମ ପିଲାଙ୍କ ପାଇଁକି ଆମେ ଘୃଣାରେ ଟେକୁଛୁ ନାକ
ସରକାରୀ ଇସ୍କୁଲରେ ସେମାନେ ଘାଣ୍ଟିବେ କାହିଁକି କାଦୁଅ ପଙ୍କ ?
ସମୟ ସୁଅରେ ବଦଳିଯାଇଛି ଆମ ଅଭିରୁଚି ଆମ ଅଭିମତ
ପାଲୋଟିଛୁ ଆମେ ତ ସମ୍ଭ୍ରାନ୍ତ ଭୁଲିଯାଇଛୁ ମାଟି ମାଆର ଡାକ
ବୃଦ୍ଧ ବାପାମାଆ ଆମର ଯେବେ ହୁଅନ୍ତି ଅବହେଳାର ଶିକାର
ଭଙ୍ଗା ଦଦରା ଗାଁ ଇସ୍କୁଲ କଥା ଭଲା ତୁଛାକୁ କିଆଁ ପଚାର ?
ଟିଭି ପରଦାରେ ସରକାରୀ ଇସ୍କୁଲ ପିଲାଙ୍କ ଦେଖି ଅନାଦର
ଅତୀତର ସ୍ମୃତି ହୁଏ ରୋମନ୍ଥନ ଆଜି ପାଇ ଆଘାତ କୁଠାର
ପରିଣତ ବୟସରେ ମନ ମୋର ଚିନ୍ତେ ମଥା ଘୁରେ ସାଇଁ ସାଇଁ
ସରକାରୀ ଇସ୍କୁଲ ପିଲାଏଁ ଆଜି ପଛରେ ପଡିଛନ୍ତି କିମ୍ପାଇଁ ?
ଆମ ଗୁରୁ ପଣ୍ଡିତ ମାଷ୍ଟ୍ରେ ଥିଲେ ଆମ ଲାଗି ସାକ୍ଷାତ ଭଗବାନ
ତାହାଙ୍କ ଆଶିଷେ ହୋଇଛୁ ଆମେ ମଣିଷ ଧନ୍ୟ ତାଙ୍କ ବିଦ୍ୟାଦାନ
ଆଜି ତ ମାଷ୍ଟର ପିଟୁଛନ୍ତି ମଥା ରାଜଧାନୀର ରାଜପଥ ଧାରେ
ନାର୍ଯ୍ୟ ପ୍ରାପ୍ଯରୁ ବଞ୍ଚିତ ହୋଇଣ କାଟୁଛନ୍ତି କାଳ ଦୁସ୍ଥ ଅନାହାରେ।
ସରକାରୀ କାର୍ଯ୍ୟ ତୁଲାଇ ତୁଲାଇ ଯାଇଛନ୍ତି ଗୁରୁଜୀ ଗୁରୁମା ଥକି
ସବୁ କାମ ଚାଲେ କଡ଼ା କାଇଦାରେ ପାଠ ପଢ଼ାଇବା ଯାହା ବାକି
ଶିକ୍ଷକର ପ୍ରତି ଆମ ମାନବ ସମାଜେ ନାହିଁ ପୂର୍ବର ଆଦର ଆଉ
ଛତୁଫୁଟା ଘରୋଇ ଇସ୍କୁଲ ଛକ ବଜାର ଘାଟରେ ହାଉଜାଉ।
ପ୍ରତିଷ୍ଠିତ ପରିବାର ପିଲା ଆଜି ମାଡ଼ନ୍ତି ନାହିଁ ସରକାରୀ ଇସ୍କୁଲ ମାଟି
ଘରୋଇ ଇସ୍କୁଲରେ ପରଭାଷାରେ ଶୁଆ ପରି ପାଠ ହେଉଥାନ୍ତି ରଟି
ଚିକ୍କଣ ପୋଷାକ ପରିଧାନ କରି ଲାଗୁଥାନ୍ତି ସତେ ଉନ୍ନତ ଦେଶର ଚାଟ
ଉଚ୍ଚ ପାଚେରୀ ଘେରା ହତା ଭିତରେ କରୁଥାନ୍ତି ଯାହା ଯାବତୀୟ ନାଟ।
ଗରିବ ପିଲାଙ୍କ ପଢିବା ପାଇଁକି ସରକାର କରିଛନ୍ତି କେତେ ଯୋଜନା
ଇସ୍କୁଲରେ ପିଲାଙ୍କୁ ଦିଅନ୍ତି ଯୋଗାଇ ସବୁ ସୁବିଧା ସୁଯୋଗ ମାଗଣା
ଛତା ଜୋତା ଅଣ୍ଡା ଛତୁଆଡାଲି ଚାଉଳ ମଧ୍ୟାହ୍ନ ଭୋଜନର ଆସର
ସାଇକେଲ୍ ୟୁନିଫର୍ମ କମ୍ପୁଟର କିନ୍ତୁ ପାଠପଢ଼ା କିଆଁ ହୁଏ ନିମ୍ନମାନର ?
ଶିକ୍ଷାରେ ସୁଧାର ଆଣିବା ପାଇଁକି ବସୁଅଛି କେତେ କମିଟି କମିଶନ
କୋଟି କୋଟି ଅର୍ଥବ୍ୟୟରେ ଚାଲୁଛି ଫଳଶୂନ୍ଯ ସର୍ବଶିକ୍ଷା ଅଭିଯାନ
ଦୂୂୂରଦୃଷ୍ଟିର ଅଭାବରେ ଦେଶର ଶିକ୍ଷା ନୀତି ହୋଇଅଛି ବାଟବଣା
କୁନି କୁନି ପିଲାଙ୍କ ପାଇଁ ଆସୁଥିବା ସାଧନ ହେଉଅଛି ବାଟମାରଣା।
ଝାଟିମାଟି ଚାଳଛପର ଆଜବେଷ୍ଟସ୍ ଘର ଆଉ ନାହିଁ ଗାଁର ଇସ୍କୁଲ
ପାଲୋଟିଛି ପକ୍କା କଂକ୍ରିଟ୍ ଘର ବହୁମୁଖୀ ବିପର୍ଯ୍ୟୟ ଆଶ୍ରୟସ୍ଥଳ
ବଗିଚାରେ ଆଉ ଫୁଟୁ ନାହିଁ ଭଳିକିଭଳି ରଙ୍ଗବେରଙ୍ଗର ଫୁଲ
ବଢ଼ିଅଛି ସେଠି ଅନାବନା ଅରମା ଲତା ବୁଦୁବୁଦୁକିଆ ଜଙ୍ଗଲ।
କରୋନା ମହାମାରୀରେ ବି ଏଠି ଖୋଲିଛି ସଙ୍ଗରୋଧ କେନ୍ଦ୍ର
ଦୂୂୂର ବିଦେଶରୁ ପ୍ରବାସୀ ଲେଉଟି ନେଇଛନ୍ତି ଆପଦେ ଶରଣ
ମନେ ପଡେ ଦିନେ କେବେ ପାଠ ପଢିଥିଲେ ସେଇ ଆଙ୍ଗନେ
ସାହାରା ଦେଇଛି ଏବେ ଆମ ଇସ୍କୁଲ ଘର ଏଇ ଘୋର ଦୁର୍ଦ୍ଦିନେ।
ସରକାରଙ୍କ ସବୁ ମହତ ଉଦ୍ଦେଶ୍ୟ ଆଜି ଆମ ଇସ୍କୁଲ କରୁଛି ପୁରଣ
ବନ୍ଯା ବାତ୍ଯା ଆଶ୍ରୟସ୍ଥଳୀରୁ ଭୋଟଦାନ ଯାଏ ଯେତେ ଅଛି କାମ
ପିଲାଏ ମାଡିନାହାନ୍ତି ଇସ୍କୁଲ ଦୁଆର ମାସ ପରେ ମାସ ବର୍ଷ ପରେ ବର୍ଷ
ଅନଲାଇନ୍ ପାଠ ଅଟଇ ପ୍ରହସନ ଖାଲି ପାଠଘର ଯାହା ଶୂନ୍ଯ।
ଦେଶର ଆଗାମୀ ଭବିଷ୍ୟତ ଅବହେଳା ଅଣହେଳାରେ ଆଜି ସଢୁଛି
ମୋ ପିଲା ତ ବିଦେଶେ ଚାକିରି କରିଛି ମୋର ଅବା କଣ ଯାଉଛି?
ନିଲଠା ପଣରେ ସବୁକିଛି ମୁହିଁ ଦେଖୁଛି ତଥାପି ବୀର ଦର୍ପରେ କହୁଛି
ଗାଁ ଇସ୍କୁଲରେ ପାଠ ପଢି ମୁଁ ଗର୍ବିତ ବୋଲି ଡେଙ୍ଗୁରା ଯାହା ପିଟୁଛି।