ହଁ ମଣିଷ ଏମିତି
ହଁ ମଣିଷ ଏମିତି
ଜୀବନର ମାନେ ବୁଝି ବି ଅବୁଝା
ଲୋଭ ଦିଗରେ ହୃଦୟ ଗତି
ମୋହ ମାୟା ଜାଲେ ଛନ୍ଦି ହୋଇ ବୁଲେ
ଯାହା ହେଉ ପଛେ ପରିଣତି ।
ହଁ ମଣିଷ ଏମିତି ।।
ମାଂସ ପିଣ୍ଡୁଳାଟେ ଏଇ ଶରୀରଟି
ମାଆ ଉଦରରେ ଆୟୁଷ୍ମତୀ
ମୁଣ୍ଡକୁ ହାତ ଯେ ପାଇଗଲା କ୍ଷଣି
ମାଆ ପାଲଟି ଯାଏ ମୂରତି ।
ହଁ ମଣିଷ ଏମିତି ।।
କାହା ଅଳଙ୍କାର ସ୍ନେହ ଶ୍ରଦ୍ଧା ପ୍ରେମ
ଅହଂକାର ଅଟେ କାହା ପ୍ରୀତି
ଉପଦେଷ୍ଟା କିଏ ସାଜିଥାଏ ଯେବେ
ବୁଝେନି ମନର ଗତିମତି ।
ହଁ ମଣିଷ ଏମିତି ।।
କଷଟି ପଥରେ କଷି ଥାଏ ସବୁ
କଷି ନଥାଏ ନିଜର ଗତି
ନିଜ ଭୁଲ୍ ଦେଖେନାହିଁ କେବେ କିନ୍ତୁ
ଅଙ୍ଗୁଳି କରେ ଅନ୍ୟର ପ୍ରତି ।
ହଁ ମଣିଷ ଏମିତି ।।
ଦାନବ ବସିଛି ମଣିଷ ଭିତରେ
ମଣିଷ ପଣିଆ ନେଇ ବିରତି
ସାଜିସ୍ ଚାଲିଛି ନିରନ୍ତର ଯେବେ
ଦାନବ କରିବ ପୂର୍ଣ୍ଣ ରାଜୁତି
ଯେଉଁ ଦିନ ଘଟିଯିବ ଏହିପରି
ମଣିଷର ବି ହୋଇବ ଇତି ।
କୁହ ମଣିଷ....
ତଥାପି ତୁମେ କଣ ରହିବ ଏମିତି ।।