କହରେ କାଳିଆ
କହରେ କାଳିଆ
ଭକତ ବାନ୍ଧବ ସଙ୍କଟ ତାରଣ
ଆହେ ନୀଳାଚଳ ନାଥ
ତୁମ ନାମ ସ୍ମରି ଯାଉ ଦିନ ମୋର
ପୁର୍ଣ୍ଣ କର ମନୋରଥ ।
ଲୋକାଚାର ନୀତି ଆପଣେଇ ତୁମେ
ହେ ପ୍ରଭୁ ଚକାନୟନ
ଶହେ ଆଠ ଗରା ପାଣି ଗାଧେଇକି
କର ମୋଦକ ସେବନ ।
ବରଷକୁ ଥରେ ବିଜୟ ରଥରେ
ଆସ ଭାଇ ଭଗ୍ନୀ ସାଥେ
ଭକ୍ତ ଭଗବାନ ଏକାକାର ହେବେ
ଦେଖିବି ଏ ପାପ ନେତ୍ରେ ।
ନୁହେଁ ମୁଁ ସୁଦାମା ନୁହେଁ ମୁଁ ଶ୍ରୀବତ୍ସ
ନୁହେଁ ଅଛିଆ ସବରୀ
ନୁହେଁ ମୁଁ ଦାସିଆ ନୁହେଁ ବଳରାମ
ନୁହେଁ ଦେବଦାସୀ ନାରୀ ।
ଆକୁଳେ ଡାକୁଛି ଉଦ୍ଧରିବ ବୋଲି
ଆହେ ଶଙ୍ଖ ଚକ୍ର ଧାରୀ
ତୁମ୍ଭ ବିନେ ଆଉ କେ ରଖିବ ମୋତେ
ଭବସାଗରୁ ଉଦ୍ଧରି ।
ଡାକି ଜାଣେ ନା ମୁଁ ମନ୍ତ୍ର ଉଚ୍ଚାରିଣ
ଭଜନ ତୋ ଜାଣିନାହିଁ
କେମିତି ଗାଇବି ଗୀତଗୋବିନ୍ଦ ମୁଁ
କେ ଦେବ ମୋତେ ବତାଇ ।
ଭାବରେ ଡାକୁଛି ଭାବର ଠାକୁର
ତ୍ରଇଲୋକ୍ୟ ନାଥ ହରି
ସତ୍ୟ ସନାତନ ଅନାଥର ନାଥ
ଦିଅ ଟିକେ କୃପା ବାରି ।
ପାପର ପଙ୍କରେ ଜୀବନ ଅଙ୍କରେ
ଆଉ ନାହିଁ ମୋର ମନ
ତୁମ୍ଭ ଶ୍ରୀଚରଣେ ଲୀନ କର ମୋତେ
ପ୍ରଭୁ ଜଗତ ଜୀବନ ।
ବିଶ୍ୱ ବ୍ରହ୍ମାଣ୍ଡର ପୂର୍ଣ୍ଣ ବ୍ରହ୍ମ ତୁମେ
କିଞ୍ଚିତେ କର ସୁଦୟା
ତୁମ ନାମ ଗାଇ ଦିନ ଯାଉ ସରି
ଆହେ ପ୍ରଭୁ ଚଉବାହା ।
