STORYMIRROR

Upendra prasad Mahala

Inspirational Others

4  

Upendra prasad Mahala

Inspirational Others

ସୃଜନର ସ୍ବାଭିମାନ

ସୃଜନର ସ୍ବାଭିମାନ

1 min
201


ମୋ ହୃଦୟର ସେ ଅଭିଷିକ୍ତ ସମ୍ରାଟ !!  
ଧମନୀରେ ସ୍ପନ୍ଧନ ମାପି ନିୟତ ବହୁ
ଥାଏ ସ୍ବାଭିମାନର ରକ୍ତ ଧାରଟିଏ 
ଯାହାର, ସେ ମୋ ବାପା।

ମୋ ସୃଜନର ଉଦ୍ଦାତ୍ତ ଗାମ୍ଭୀର୍ଯ୍ୟ 
ପ୍ରବନ୍ଧର ନିଦାଖ ଖରା ଭଳି ଟାଣ, 
ଗଳ୍ପର ଶୀତଳ ଛାଇ ପରି ରମ୍ୟ
କେବେ କବିତାର ଅବୁଝାପଣ ତ
କେବେ ସ୍ନେହସିକ୍ତ ଆଶାର ସକାଳ।
ସେ ମୋ ବାପା ।

ପୁରୁଣା ଓ ନୂଆ ପିଢିକୁ ଯୋଡୁଥିବା
ଏକ ମଧ୍ୟାନ୍ତର ସଂଯୋଗ ରେଖା 
ଅଫେରା ସମୟର ରୂପକଳ୍ପ
ଯାହାଙ୍କଠାରୁ ଶିଖିଥିଲି ଜୀବନ ସହ
ଲଢିବାକୁ ସାହସ ଓ ଯୁଦ୍ଧର କଳା
ସବୁଦେଇ କିଛି ନ ମାଗିବାର 
ଏକ ଦର୍ପିତ ଅହଂକାର ।
ଦେଖିଛି ସମୟର ଆଘାତରେ
ବୟସର ଅପରାହ୍ନରେ ନଇଁ 
ପଡିଥିବା ଗଛ ଭଳି କେମିତି 
ଶେଷ ଯାଏ ଛାୟା ବାଣ୍ଟୁଥିଲେ
କୁନି ପୁଅ ଭଳି ମୋ ଆଙ୍ଗୁଠି
ଧରି ଚାଲିବାକୁ ସନ୍ତର୍ପଣରେ
ହାତ ବଢାଉଥିଲେ।

ଦେଖିଛି ରକ୍ଷଣଶୀଳତା ପାଚେରି ଭାଂଗି
ନୂଆସମାଜ ଗଢିବାକୁ କିଭଳି ସଂଘର୍ଷ
କରିଥିଲେ, ଅ।ଗାମୀ ଦିନର ସ୍ବପ୍ନ 
ଦେଖି କଳାର ପୂଜାରୀ ସାଜିଥିଲେ
ଗଢିଥିଲେ କେତେ ମଣିଷ ତିଅ।ରି 
କାରଖାନା ଗାଁ ମାଟିରେ।
ସବୁଥିରେ ଥିଲେ ଅଗ୍ରଗାମୀ ସାରଥି
ଧୋତି ଛାଡି ପିନ୍ଧିଥିଲେ ଫୁଲପ୍ୟାଣ୍ଟ
ହାତପିନ୍ଧା ଘଣ୍ଟା,ସାଇକେଲ, ବାଇକ,
ଗ୍ରାମଫାନ,ରେଡିଓ, ଟିଭି ପ୍ରଥମେ
ଗାଁକୁ ଆଣି ନୂଆ ଜୀବନର
ବାଟ ଫିଟାଇଥିଲେ, ଜମି ଚଷି
ବୁଣିଥିଲେ ହାଇବ୍ରିଡ ଧାନ ।
ମାଟି ମମତାରେ ବନ୍ଧା ହୋଇ
ଅବୁଝା ପାଗଳ ସାଜିଥିଲେ।
ସହରକୁ ଆସି ପୁଅଝିଅଙ୍କ ପାଖେ
ଦିନେଅଧେ ରହି ଫେରୁଥିଲେ।
ସେ ଥିଲେ ସ୍ବାଭିମାନର ପ୍ରତୀକ,
ନିଆରା ଗାନ୍ଧିବାଦୀ ମଣିଷ।
ସମସ୍ତଙ୍କୁ ଭାବର ସମ୍ପତ୍ତି ଦେଇ 
କିଛି ମାଗି ନ ଥିଲେ, ଅସହାୟ 
ସ୍ଥିତିରେ ବି ତାଙ୍କ ଅ।ଖିରେ
କେହି ଲୁହ ଦେଖି ନ ଥିଲେ ।
ଖୋଜିଲେ ମିଳିବେନି କେଉଁଠି 
ସେଭଳି ନିଅ।ରା ମଣିଷ ।

ମୋ ବାପା, ବୋଉ ଦୁହେଁ ଥିଲେ
ଦୁଇଟି ଦେହ, ଗୋଟିଏ ଆତ୍ମା
ଜଣେ ମୋ ହୃଦୟର ଅଭିମାନ 
ଜଣେ ମମତାର ସ୍ନିଗ୍ଧ ଛାଇ
ତାଙ୍କ ଦାନେ ଋଣୀ ଏ ଜୀବନ।
ସ୍ନେହସିକ୍ତ ହାତର ଛବି ଭଳି
ଦିଶେ ଅଫେରା ସମୟର ସ୍ମୃତି
ହୃଦୟକୁ ପୋଷଣ ଦେଉଥାଏ
ଲେଖନୀରୁ ଝରୁଥାଏ ସୃଜନର
ସ୍ବାଭିମାନ ଧାରଧାର ରକ୍ତ ହୋଇ
କାଗଜ ପୃଷ୍ଠାରେ।

*******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational