STORYMIRROR

Bharatabandhu Biswal

Inspirational

4  

Bharatabandhu Biswal

Inspirational

ଶୁଭ ପାର୍ବଣ

ଶୁଭ ପାର୍ବଣ

1 min
216


ଅବତର ଶ୍ରୀଶାରଦେ ଜଗଦ୍ଧାତ୍ରୀ

ଭବାନୀ ମାଆ ଦୁର୍ଗା

ମହାମାୟୀ ମହାଶକ୍ତି ବିଶ୍ୱାତ୍ମିକେ

ସୃଷ୍ଟିରୂପା ମାଆ ଜଗଦମ୍ବା ।

ଆଦିଶକ୍ତି ଜନନୀ ଗୋ ସୃଷ୍ଟି ସ୍ଥିତି

ପାଳନକାରିଣୀ

ଶାନ୍ତା କାନ୍ତା କମନୀୟା ଦୁର୍ଗା କାଳୀ

ଦୁର୍ଗତି ନାଶିନୀ

ଉଡ୍ଡୀୟାନ ପୂଣ୍ୟ ପୀଠ ବିରଜା ମଣ୍ଡଳେ

ମହିଷ ମର୍ଦ୍ଦିନୀ ଦୁର୍ଗେ ବିରାଜିତ

ଜଗନ୍ମାତ ଅଧିଷ୍ଠାତ୍ରୀ ବିରଜା ରୂପରେ

ମହିମା ଯା ବିଦିତ ମହୀରେ ।


ଓଡ଼ିଶାର ପୁରପଲ୍ଲୀ ଘରେ ଘରେ

ନଗରେ ଦେଶରେ

ଶୁଭିଲାଣି ଘଣ୍ଟ ଶଙ୍ଖ ଝାଞ୍ଜର ନିନାଦ

ଦେବୀପୀଠ ନବରରେ ଷୋଳପୂଜା ଆୟୋଜନ

ମଣ୍ଡପରେ ଚାଲେ ସାଜସଜ୍ଜା,

ବିରାଜିବେ ଶାକମ୍ବରୀ ନବଦୁର୍ଗା

ଦିବ୍ୟ ତେଜେ ମୁଣ୍ମୟୀ ପ୍ରତିମା ।


କର୍ପୂର ଯାଇଛି ଉଡ଼ି କନା ଖଣ୍ଡି

ରହିଅଛି ପଡ଼ି

ପରିସ୍ଥିତି ବାମ ଆଜି

ଲୋଡ଼ା ନାହିଁ ଖଣ୍ଡାୟତ ପାଇକଙ୍କୁ

ଯୁଦ୍ଧ ପାଇଁ ଖଣ୍ଡା ତରବାରୀ

ସାମନ୍ତକରଣ ସବୁ ପାଳୁଛନ୍ତି ସଂସ୍କାର ଅବଶ୍ୟ

ଆୟୋଜନ୍ତି ସାତ୍ତ୍ୱିକେ ମାଆ

ପ୍ରତୀକେ ତୋ ବସାଇ କଳସ ।

ଆଶ୍ୱିନ ଶୁକ୍ଳ ଷଷ୍ଠୀରେ ନଦୀଘାଟେ

ସ୍ନାନ ପରେ ବୁଡିବ କଳସ,

ଦୁର୍ବାକ୍ଷତ,ପତ୍ରପୁଷ୍ପ ମନ୍ଦାରମାଳାରେ

ଅଙ୍କାହେବ ତ୍ରିଶୂଳ ସ୍ୱସ୍ତିକ

ନବବସ୍ତ୍ର ପରିଧାନେ ତୋ କଳସ ପଟୁଆରେ

ଆସିବା ବିଧାନ

ବାଟଘାଟେ ଦୀପ ଧୂପ ବନ୍ଦାପନା

ହୁଳହୁଳି ନାଦେ ପୁରନାରୀଗଣ

କରୁଥିବେ ତୋର ଆବାହନ ।


ଗୋମୟରେ ଲିପାପୋଛା କୋଠିଘରେ

କଳସରେ ଆମ୍ବଡ଼ାଳ ଶ୍ରୀଫଳକୁ ରଖି

ଶୁକ୍ଳଧାନ୍ୟେ ହେବ ସଂସ୍ଥାପନ,

ବସିବ ନିଜସ୍ୱ ସଜ ଖଣ୍ଡା ବର୍ଚ୍ଛା

ଯେ ଯାହାର କୁଳ ସରଞ୍ଜାମ ।

ଜଳିବ ଅଖଣ୍ଡ ଦୀପ ମାତାଙ୍କ ନାମରେ

ତିନି ରାତି ଦିନ

ଝୁଣା ଧୂପ କର୍ପୂର ଗୋଗୁଳେ

ପୁଜା ସ୍ଥଳ ମହମହ ବାସିବ ଚନ୍ଦନ,

ମହାଷ୍ଟମୀ ପୂଜା ହୋମ ଚଣ୍ଡିପାଠ

ଲାଗି ହେବ କାକରା ପିଠାର ଭୋଗ

ବ୍ରତଶେଷେ ଦଶମୀରେ ଘଟ ବିସର୍ଜନ ।


ପାର୍ବଣରେ ଚାନ୍ଦାଭେଦା, ତାମସିକ ଚାକଚକ୍ୟ

ନୁହେଁ ଆମ ନିଜ ପରମ୍ପରା,

ବାହ୍ୟ ଅପସଂସ୍କୃତି ପ୍ରଭାବୁ

ଅବା ପାଖ ସବୁ ମୁଲକକୁ ଦେଖି

ଆମେ ଗଲୁ ଭଳି ଆଉ ଭୁଲି,

ପୂଜା ଓ ପାର୍ବଣ ନାମେ ଲୋକଦେଖା ଆଡ଼ମ୍ବର

ମଦନିଶା ପକାଉଛି ଘାରି ।


ଯୋଡହସ୍ତେ ଜଣାଉ ପ୍ରଣତି

ଦିଅ ମାଆ ଶୁଦ୍ଧ ସଙ୍କଳ୍ପ ଦୃଢ଼ ଇଚ୍ଛାଶକ୍ତି

ଦୂର ହେଉ ପାପ ତାପ ଦୂରିତ ଅନ୍ୟାୟ,

ଅରଣା ମହିଷ ସମ ଏ ମଣିଷ

ବିବସ୍ତ୍ରିତ ମାଆ ସଙ୍ଗେ ଯୁଝିବାର

ନିଶା ପରିହରି

ହେଉ ସଭ୍ୟ ସଂସ୍କାର ସମ୍ପନ୍ନ,

ସୁରକ୍ଷିତ ହେଉ ପୃଥ୍ୱୀ

ବିରାଜନ୍ତୁ ମାତୃଶକ୍ତି ଶିବାନୀ ମାଆ ଦୁର୍ଗେ,

ପ୍ରବହୁ ବଳ ବିକ୍ରମ ସ୍ୱଚ୍ଛନ୍ଦୁ ଜୀବନ

ଜାଗୁ ସର୍ବ ଜନମନ, ନାଚି ଉଠୁ ପୁଲକରେ

ସତ୍ୟ ଶିବ ପ୍ରକୃତି ସୁନ୍ଦର

ସ୍ୱାଗତମ ମାତ ଦୁର୍ଗେ,ଶାରଦୀୟ ଶୁଭ ଲଗ୍ନ

ଏ ମାଟିର ପାର୍ବଣର ପର୍ବେ ।

  -------



Rate this content
Log in

Similar oriya poem from Inspirational