ମାଆ ଜାନକୀଙ୍କ ଗୌରୀ ପୂଜନ
ମାଆ ଜାନକୀଙ୍କ ଗୌରୀ ପୂଜନ
ଜୟଜୟ ମାତା ହିମବନ୍ତ ରାଜଜେମା l
ଜୟ ପ୍ରସନ୍ନମୁଖୀ ମାଆ ସୁଚାରୁ ଚନ୍ଦ୍ରମା ll
ଜୟ ଗଜାନନ ଜୟ ଷଡ଼ାନନ ମାତା l
ଜଗତଜନନୀ ସିଦ୍ଧିଦାତ୍ରୀ ସର୍ବ ଜ୍ଞାତା ll
ବିଶ୍ୱ ବିମୋହିନୀ ନାହିଁ ତୋର ଆଦି ଅନ୍ତ l
ବେଦ ନଜାଣେ ଯାହା ମୁଁ ଜାଣିବି କେମନ୍ତ ll
ଭଵଭୟ ହାରିଣୀ ମା' ଦୁଃଖ ବିନାଶିନୀ l
ବିଶ୍ୱ ପାଳିନୀ ମାତ ତ୍ରିଲୋକ ବିହାରିଣୀ ll
ତୋ ସେବା ଅଟଇ ଚତୁବର୍ଗ ଫଳଦାୟୀ l
ସୁଖଦା ବରଦା ସଦା ମାଆ ଦୟାମୟୀ ll
ପୁଜି ତୋହର ଅଭୟ ଚରଣ କମଳ l
ସୁର ମୁନୀ ନର ଲଭିଥାନ୍ତି ଶୁଭ ଫଳ ll
ଦୟିନୀ ମୋ ମନୋରଥ ପୂର୍ଣ୍ଣକର ମାତା l
ପୟରେ ଶରଣ ଗଲା ଏ ଜନକ ସୂତା ll
ବିନତିରେ ପ୍ରୀତ ହେଲେ ମାତା ଶ୍ରୀ ଭବାନୀ l
ମାଳା ଖସିଲା ଗଳାରୁ ସୀତା ମନ ଜାଣି ll
ହରଷେ ବୋଲନ୍ତି ତହୁଁ ଗୌରୀ ମୃଦୁବାଣୀ l
ବର ତୋତେ ପ୍ରାପ୍ତ ହେଉ ପ୍ରଭୁ ରଘୁମଣି ll
ଆଶିଷ ପାଇ ଜାନକୀ ସଖି ସଙ୍ଗେ ଚଳି l
ଶ୍ରୀରାମ ସମ୍ଭ୍ରମେ ଚାହିଁ ଦେଖନ୍ତି ମୈଥିଳି ll
ମିଳନ ହୋଇଲା ରାମ ସୀତା ଚକ୍ଷୁ ଚାରି l
ଜୟ ସିୟା ରାମ ଜୟ ଭକ୍ତ ମନୋହାରୀ ll
