ଜୟ ଶ୍ରୀକୃଷ୍ଣ
ଜୟ ଶ୍ରୀକୃଷ୍ଣ
ଆହେ ବଂଶୀଧର ଦେବକୀ ନନ୍ଦନ
ଯଶୋଦାର ଗଣ୍ଠିଧନ
ପବିତ୍ର ଭାଦ୍ରବ କୃଷ୍ଣ ଅଷ୍ଟମୀରେ
ଜନମିଲ ଶ୍ୟାମଘନ ।
ଯଶୋଦା ମାତାର ଅନ୍ଧର ଲହୁଡ଼ି
ଦେବକୀ ହୃତସ୍ପନ୍ଦନ
ରାଧାରାଣୀଙ୍କର ନୟନର ତାରା
ନନ୍ଦରାଜାର ଜୀବନ ।
ଆହେ ବେଣୁପାଣି ଯଶୋଦାର ମଣି
ପ୍ରିୟପ୍ରାଣ ଜୀବଧନ
ତିଳେ ନ ଦେଖିଲେ ଯଶୋଦା ମାତାର
ଉଛନ ହୁଅଇ ମନ ।
କେତେ ଲୀଳାଖେଳା କରୁଥିଲ କାହ୍ନା
ବନ୍ଧୁ ସୁଦାମାର ସାଥେ
ପ୍ରାଣ ଠାରୁ ଅତି ପ୍ରିୟ ଥିଲେ ସଖା
ଜୀବନର ଗତିପଥେ ।
ରାଧା ଗୋପୀ ସଙ୍ଗେ କେଳି କରୁଥିଲ
ଯଶୋଦାର ଗେହ୍ଲା କାହ୍ନା
ପ୍ରୀତି ପରଶରେ ରାଧାରାଣୀ ମନ
ହେଉଥିଲା ଆନମନା ।
ଗୋପପୁର ଛାଡି ଯଶୋଦା ନନ୍ଦନ
ଦ୍ୱାରକାରେ କଲେ ବାସ
ଗୋପ ଗୋପାଙ୍ଗନା କଦମ୍ବ ଯମୁନା
ଝୁରିଲେ କାହ୍ନାର ହସ ।
ଝୁରଇ ଯମୁନା ଝୁରେ ମଧୁବନ
ଝୁରଇ ରାଧିକା ରାଣୀ
କଥାଦେଇ ଗଲ ଫେରିବ ଗୋପକୁ
ଫେରିଲନି ଚକ୍ରପାଣି ।
କଣ୍ଟକରି ଗଲ ମଥୁରା ନଗର
ରହିଲ ସାରା ଜୀବନ
ଅଷ୍ଟ ପାଟବଂଶୀ ଅସୀମ ବିଭବ
ମୋହିନେଲା ତୁମମନ ।
କଂସ ବଧକରି ଧରା ଉଶ୍ୱାସିଲ
ଅଧର୍ମର ହେଲା ନାଶ
ଅର୍ଜୁନ ରଥର ସାରଥି ସାଜିଲ
ଦ୍ରୌପଦୀକୁ ଦେଲ ବାସ ।
କଳିଯୁଗେ ହେଲ ଜଗନ୍ନାଥ ସ୍ୱାମୀ
ଶ୍ରୀକ୍ଷେତ୍ରରେ କର ଲୀଳା
କେତେ ଅବତାରେ ଏଧରା ପୃଷ୍ଠରେ
କରୁଅଛ ଲୀଳାଖେଳା ।
ସତ୍ୟ ତ୍ରେତୟା ଓ ଦ୍ୱାପର କଳିରେ
ତୁମେଯେ ସର୍ବ କରତା
ତୁମରି ଇଙ୍ଗିତେ ଚାଲୁଅଛି ବିଶ୍ୱ
ତୁମେହିଁ ଭାଗ୍ୟ ବିଧାତା ।
ଆହେ ବଂଶୀଧାରୀ ସତ୍ୟର ପୂଜାରୀ
ତୁମରି କରୁଣା ହେଉ
ତୁମ ନାମ ଜପି ତୁମରି ଚରଣେ
ଏ ଜୀବନ ବିତି ଯାଉ ।