ଭାରତ ମାତାର ବିଜୟ ଗାଥା
ଭାରତ ମାତାର ବିଜୟ ଗାଥା
ହିନ୍ଦୁ ମୁସଲିମ ଓ ଶିଖ୍ ଇସାଇ
ସଭିଏଁ ଭଉଣୀ ଭାଇ
ଶାନ୍ତି ମୈତ୍ରୀ ଯହିଁ ସତ୍ୟରପ୍ରତୀକ
ସେ ଅଟେ ଭାରତ ଭୂଇଁ ।
ଭେଦଭାବ ଶୂନ୍ୟ ସବୁରି ଜୀବନ
ଏକତା ଯାହାର ମନ୍ତ୍ର
ଆମେ ଗଢିଅଛୁ ଆମ ସମ୍ବିଧାନ
ଏହି ଆମ ଗଣତନ୍ତ୍ର ।
ଗାନ୍ଧୀ ଗୋପବନ୍ଧୁ ସୁଭାଷ ନେହେରୁ
ଅଟନ୍ତି ସନ୍ତାନ ବୀର
ଦେଶପାଇଁ ସିଏ ପ୍ରାଣବଳି ଦେଇ
ହୋଇଲେ ଚିର ଅମର ।
ଚିର ବନ୍ଦନୀୟ ବାପୁଜୀ ଆମର
ଅଟନ୍ତି ଯୁଗ ପୁରୁଷ
ତାଙ୍କରି କୀରତି ଅହିଂସା ନୀତିକୁ
ଗାଏଆଜି ସାରାଦେଶ ।
ପରାଧୀନତାର ଶିକୁଳି ଛିଣ୍ଡାଇ
ଆଣିଦେଲେ ସ୍ୱାଧୀନତା
ନିଃସ୍ୱାର୍ଥପରତା ସେବାଧର୍ମ ଲାଗି
ହୋଇଲେ ଜାତିରପିତା ।
କୋଟି ଜନତାର ସେନାପତି ସାଜି
ରଚିଲେ ସମରସଜ୍ଜା
ପରାଧୀନତାର ଭାରତ ଭୂଇଁରେ
ଉଡିଲା ତ୍ରିରଙ୍ଗା ଧ୍ବଜା ।
ଅନ୍ୟାୟ ବିରୁଦ୍ଧେ ନ୍ୟାୟର ସଂଘର୍ଷ
ପାପ ବିରୋଧରେ ଧର୍ମ
ହିଂସାନୁହେଁ କେବେ ସମାଜ କଲ୍ୟାଣେ
ଅହିଂସା ହିଁ ମୂଳକର୍ମ ।
ଆଗେଇବା ଆମେ ସବୁଭାରତୀୟ
ସତ୍ୟ ଅହିଂସାର ପଥେ
ଗଢିବା ଆମେରେ ସୁନାର ଭାରତ
ଅହିଂସାକୁ ନେଇ ସାଥେ ।
ଦେଶର ସମ୍ମାନ ମାଟିର ଆହ୍ୱାନ
ରଖିବା ଦେଶର ମାନ
ଦେଶର ସୁରକ୍ଷା ହୋଇବ ଯେ ରକ୍ଷା
ଭାରତ ହେବ ମହାନ ।
ଭାରତ ମାତାର ବିଶାଳ ବକ୍ଷରେ
ଭରିଯାଉ ଶାନ୍ତିପ୍ରୀତି
ଜାତିଧର୍ମ ଭୁଲି ସର୍ବେ ମିଳିମିଶି
ବଢାଇବା ଯଶକୀର୍ତ୍ତି ।
ଭାରତ ମାତାର ସୁଯୋଗ୍ୟ ସନ୍ତାନ
କରୁଥିବୁ ଜୟଗାନ
ଦେଶର ସୁରକ୍ଷା କରିବୁଯେ ରକ୍ଷା
ରଖିବୁ ତା'ର ସମ୍ମାନ ।
ସବୁରି ମନରେ ଶାନ୍ତି ଭରିଦିଅ
ଜଗତର ସୃଷ୍ଟିକର୍ତ୍ତା
ସବୁରି ତୁଣ୍ଡରୁ ଉଚ୍ଚାରଣ ହେଉ
ତ୍ୟାଗ ଅହିଂସାରବାର୍ତ୍ତା ।
