ପ୍ରେମ
ପ୍ରେମ
ପ୍ରେମ ନୁହେଁ କେବେ ମରୁ ମରୀଚିକା
ପାଶେ ଗଲେ ଘୁଞ୍ଚିଯିବ
ପ୍ରେମ ଅଟେ ଦୁଇ ଆତ୍ମାର ମିଳନ
ଯୁଗେ ଯୁଗେ ରହିଥିବ ।
ପ୍ରେମ ନୁହେଁ ସତେ କାଚର ଆଇନା
ପଡିଗଲେ ଭାଙ୍ଗିଯିବ
ପ୍ରେମ ଅଟେ ସ୍ନେହ ପ୍ରୀତିର ବନ୍ଧନ
ଆଦରିଲେ ବାନ୍ଧିହେବ ।
ପ୍ରେମ ନୁହେଁ ବେଳାଭୂମି ବାଲିଘର
ଲହରୀରେ ଭାଙ୍ଗିଯିବ
ପ୍ରେମ ଅଟେ ମୃଦୁ ମଳୟ ମହକ
ଚିରଦିନ ମହକିବ ।
ପ୍ରେମ ନୁହେଁ କେବେ ବିରହ ବେଦନା
ନୟନର ଅଶ୍ରୁଧାରା
ପ୍ରେମ ଅଟେ ମେଘ ମଲ୍ଲାର ରାଗିଣୀ
ଶ୍ରାବଣର ବାରିଧାରା ।
ପ୍ରେମ ନୁହେଁ ଅବା ଜଟିଳ ଗଣିତ
ବୁଝିବାରେ କଷ୍ଟ ହେବ
ପ୍ରେମ ଅଟେ ଏକ ସରଳ ସାହିତ୍ୟ
କବିତାର ପ୍ରେମ ଭାବ ।
ପ୍ରେମ ନୁହେଁ କେବେ କାଳ ବଇଶାଖୀ
ଅଦିନରେ ଝଡ଼ହେବ
ପ୍ରେମ ଅଟେ ଏକ ଋତୁ ମଉସୁମୀ
ହୃଦୟରେ ବରଷିବ ।
ପ୍ରେମ ନୁହେଁ କେବେ ଅଢେଇ ଦିନିଆ
ମଉଳା ରଜନୀଗନ୍ଧା
ପ୍ରେମ ଅଟେ ମଧୁ ମଧୁର ସମ୍ପର୍କ
ମଳୟର ମଧୁଛନ୍ଦା ।
ପ୍ରେମ ନୁହେଁ କେବେ ଝରା ଶେଫାଳି
ରଜନୀରେ ଝଡ଼ିଯିବ
ପ୍ରେମ ଅଟେ ସତ୍ୟ ଜୀବନ୍ତ ଶାଶ୍ୱତ
ଚିର ଦିନ ରହିଥିବ ।

