ସୂର୍ଯ୍ୟାସ୍ତ
ସୂର୍ଯ୍ୟାସ୍ତ
ଦିନ ସରିଗଲା ବେଳେ
ଏତେ ଚିନ୍ତା କାହିଁକି ?
ସୂର୍ଯ୍ୟାସ୍ତ କୁ ମନ ଭରି
ଉପୋଭୋଗ କର ,!
ଜୀବନରୁ ଯାହା ସାଉଁଟି
ବାଛି ଧୋଇ ପଖାଳି
ସୁଖା ସୁଖି କରି
ଦୁନିଆ ଅମାରରେ ସାଇତି ରଖିଛୁ
ସେତକ ଯଥେଷ୍ଟ
ସୂର୍ଯ୍ୟାସ୍ତ ପରର ଭୋଗ୍ୟ ପାଇଁ।
କାହା ପାଇଁ ଏତେ ଭାବନା ?
ମିଥ୍ୟା ମୋହ ମାୟାର
କୁହୁଡି ଆଉ କେତେ ଦିନ ପହଁରିବୁ ?
କେତେଦିନ ଆଉ
ମୋର ମୋର କହି
ନିଜ ଆଖି ଲୁହରେ ଏ
ପୃଥିବୀକୁ ପ୍ଳାବିତ କରୁଥିବୁ ?
କେତେଦିନ ଆଶା ଭରସା କରୁଥିବୁ
ଭାସି ଯାଉଥିବା
ତୃଣ ଭେଳା ଉପରେ ?
ଆଉ କଷ୍ଟ ପାଇଚାଲିଥିବୁ
ନିଜ ରକ୍ତ କଣିକା ଙ୍କ ପାଖରୁ
ନିଜ ରକ୍ତ ନଦୀ ନିଜେ
ପହଁରି ପହଁରି ?
ଦେଖ !! ତୋ ତାଳି ପକା ଛପରଟା
ଦଲକାଏ ପବନରେ
ତାର ଅସ୍ତିତ୍ବ ହରାଇ
ଚତୁର୍ଦ୍ଦିଗ ରେ ଆଜି
ବିକ୍ଷିପ୍ତ ଅବସ୍ଥାରେ,
ଆଉ-ତା ଭିତରୁ କାଠି, କୁଟା,
ଇଟା, ପଥର
ସାଉଁଟି ନେଇ ତୋରି ସତ୍ତାର
ଅଣୁ ,ପରମାଣୁ ମାନେ
ତୋତେ ପଛ କରି
ତାଙ୍କ ନିଜର ସୌଧ ମାନ
ତିଆରି କରିବାରେ ଲାଗିପଡିଲେଣି।
ଏବେ ତ ବୁଝ ଏ ସୂର୍ଯ୍ୟାସ୍ତ ର
ପ୍ରକୃତ ସଂଜ୍ଞା କଣ ?
ଅନୁଭବ କର ସେ କହିଯାଉଥିବା
ଏକ ଜୀବନ ରହସ୍ୟର
ଅପ୍ରାକୃତ ଭାବ ଶୈଳୀ କୁ।
ଏବେ ବି ରାତ୍ରୀ ହେବାକୁ
ବହୁତ ଡେରି ଅଛି !
ଏବେବି ନିସ୍ତବ୍ଧତା ରାଜୁତି କରିବାକୁ
ଅନେକ ବିଳମ୍ବ ଅଛି
ରେ ଆତ୍ମନ ! ତୁ ତୋ ନିଜକୁ
ଆବିଷ୍କାର କର
ତୁ କିଏ ? କେଉଁଠୁ ଆସିଛୁ ?
କିଏ ତୋତେ ପଠାଇଛି ?
ତୁ ଆସିବାର ଆବଶ୍ୟକ କଣ ଥିଲା
ଏ ପୃଥିବୀ ପୃଷ୍ଠକୁ ?