ମୋ ଗାଁ ର ଦୁଃଖ
ମୋ ଗାଁ ର ଦୁଃଖ
ମୋ ଗାଁ ନାମଟି ପାରିକଇଁଚି ଯେ
ଖରସ୍ରୋତା ନଦୀ ତୀରେ।
ସୁବର୍ଣ୍ଣମୂଖୀ ମୋ ଗାଁ ଠାକୁରାଣୀ
ବିପଦେ ଥାଏ ସାଥିରେ।
ହଜି ଯାଇଛି ସେ ପୁରୁଣା ଦିନଯେ,
ସେକାଳ ପଖାଳ ଯାଇଛି।
ନିଧୀ ବୁଢ଼ା ଆଉ ମଶାରି ନଟାଙ୍ଗି
ମଶା ଧୂପ ଜାଳି ଶୋଉଛି।
ଗାଁ ଧୋବା ଆଉ ଲୁଗା କାଚୁନାହିଁ
ସଫାଯନ୍ତ୍ର ଟିଏ ରଖିଛି
ସପନା ବାରିକ ବର୍ତ୍ତନିଆ ଛାଡ଼ି
ଜେଣ୍ଟସ ପାର୍ଲର ଖୋଲିଛି।
କୁମ୍ଭାର ପୁଅଟା ବେପାର କରୁଚି
କୁଳ ବେଉସାକୁ ଛାଡ଼ି,
ପୁନେଇଁ ପରବେ ଖୋଜିଲେ ନମିଳେ
ପଲମ ଛଟାଙ୍ଗି ଘଡ଼ି।
ଚାଷ ଛାଡେ ଚାଷୀ,ତନ୍ତ ଛାଡେ ତନ୍ତୀ
ଯନ୍ତ୍ର ମାନଵ କବଳେ,
ଉଜୁଡୁଚି ଆଶା, ବୁଡୁଛି ବେଉସା
ସମୟର ତାଳେ ତାଳେ।
ନାହିଁ ବୋହୁଚୋରି, ବାଗୁଡି, କବାଡି
ପାଳଭୂତ, ରଜଦୋଳି,.
ଡିଜିଟାଲ ଯୁଗ,ଫେସବୁକ ପାଠ
ସାଙ୍ଗ ଟିଭି ମୋବାଇଲ।
ନାହିଁ ଆଉ ସେହି ପଣକିଆ ଘୋଷା
ବର୍ଣ୍ଣବୋଧ ଚଉତିଶା,
A ରେ ଆପୁଲ B ରେ ବାନାନା,
ଘାରିଛି ଇଂରାଜୀ ନିଶା।
ସଵାରୀ ପାଲିଙ୍କି,ଧାକୁମ ଧାବଲ
ସାହାନାଇ ଯେ ସପନ
ଡିଜେ ବାଦ୍ୟ ସାଙ୍ଗେ ବିଦେଶୀ ବୋତଲ,
ଅଥୟ କରୁଚି ମନ।
ଭାଗବତ ଟୁଙ୍ଗି ମୋଗାଁରେ ଏବେ
ପାଲଟିଛି ଭୁତ କୋଠୀ
ସଂଜ ନଇଁଗଲେ ଶୁଭୁନି ମାଦଳ
ନାହିଁ ଆଉ ଘଣ୍ଟ ଘଣ୍ଟି।
ଚକରା ମାକୁ ରୁଚୁନାହିଁ ଆଉ
ଇଟିଲି ବରା ଘୁଗୁନି,
ସନିଆ ଗୁଡ଼ିଆ ଦୋକାନରେ ପରା
ମିଳେ ପିଜା ଚାଉମିନି।
ଛୁଞ୍ଚି ଠାରୁ ନେଇ ଶାବଳ ପର୍ଯ୍ୟନ୍ତ
ସବୁ ମିଳିଲାଣି ଏଠି,
ଘନିଆ ଭାଇର ଦୋକାନରେ ପରା
ମିଳୁଛି ଆସିକା ଫଟି।
ପାହାନ୍ତିଆ ତାରା ଲୁଚିଗଲେଆଉ
ଶୁଭୁନାହିଁ ଗଞ୍ଜା ରଡି
ଶୁଖିବାକୁ ଆଉ ଚାଳ ଖଣ୍ଡେ ନାହିଁ
ଆଚାର ତେନ୍ତୁଲି ବଡ଼ି।
ହଜିତ ଗଲାଣି ପରବ ପର୍ବାଣୀ
ଆଧୁନିକର ଆଦରେ
ନାହିଁସେ ଜନ୍ତାଳ, ଆଖଡାଶାଳ
ବିଦେଶୀ ସଭ୍ୟତା ଘାରେ।
ଗାଁ ଦେବତୀମୋ ଗୁମୁରି କାନ୍ଦୁଛି
ସତେ ଫେରିବ ସେ ଦିନ,
ସଜେଇ ହେବତା ଉଜୁଡା ସଂସାର
ସତ ହେବ ତା ସପନ।
