ଖରସ୍ରୋତା
ଖରସ୍ରୋତା
କାନ୍ତା କମନୀୟା ଶୀତଳା ସୁଶୀଳା
କୁଳୁ କୁଳୁ ନିନାଦିତା
ଚାଷୀ ପରିବାର ଜୀବନ ରେଖା ମୁଁ
ନାଁ ଛିଣ୍ଡା ଖରସ୍ରୋତା.............................1
ଟିକରପଡାରୁ ଆରମ୍ଭ ମୋ ଯାତ୍ରା,
ଖଣ୍ଡିତର ଠାରେ ଶେଷ
ଛୋଟିଆ ଶରୀରେ ଆନନ୍ଦ ଉଲ୍ଲସେ
କୋଟି ଜଳ ଜୀବ ବାସ.............................2
ମାନୁଛି ମୁଁ ଏକ ଚଷା ମୁଲକର
ଭୋକ ଶୋଷ ଭୁଲା ନଈ
ଜରା ଯୌବନର ଜୁଆର ଭଟ୍ଟାରେ
ଜୀବନ ଜିଇଁଛି ମୁହିଁ.................................3
ନାହିଁ ମୋ ଅସ୍ତିତ୍ୱ ପାସୋରି ଅତୀତ
ଶେଷ ମୋର ଭବିଷ୍ୟତ
ଶୁଷ୍କ ବାଲିଶେଜ ବଢାଏ ବାର୍ଦ୍ଧକ୍ୟ
ଚଷା ପୁଅ ମୁଣ୍ଡେ ହାତ..............................4
ଦିନ ଥିଲା ମୋର ପ୍ଲାବିତ ବେଳାରେ
ହସୁଥିଲା କେତେ କ୍ଷେତ
ପଉସ ପ୍ରାତର କଅଁଳ ଖରାରେ
ମକର ବଉଳ ମିତ..................................5
ପ୍ରେମ ପ୍ରଣୟର ମୁଁ ଥିଲି ମାଧ୍ୟମ
ପ୍ରେମୀ ଯୁଗଳଙ୍କ ସାଥି
ମୋ ତୁଠେ ତୁଟଇ ମାନ ଅଭିମାନ
କେତେ କଟି କେତେ ମିଟି..........................6
ଗାଁର ଶୋଡ଼ଶୀ ରୁପସୀ ପ୍ରିୟସୀ
ମୋ ଜଳେ ପଖାଳି ତନୁ
ଅପେକ୍ଷାରେ ଥାଏ କେବେ ଆସିବତା
ପିୟତମ ଚନ୍ଦ୍ରଭାନୁ................................ 7
କାହା ମାତା,କାହା ପିତାମହର ଯେ
ତର୍ପଣ କର୍ମ ତୁଠର
କେତେ ପିଢ଼ି ଜୁଇ ଜଳିଛି ପଠାରେ
ହିସାବକି ଅଛି ତାର............................... 8
ପଣ୍ଡିତ କହେ ମୋ କୋଳ କୁଆଡେ
ନିରଭରା ପୂନ୍ୟତୋୟା
ସର୍ବ ସମ ପୂନ୍ୟ ଲଭଇ ଜୀବନ
ଯେନ ବାରିଣୀ କି ଗୟା...........................9
ମୋ ଜଳେ ମଙ୍ଗଳ କଳସ ଭରିଣ
ପୂଜାରମ୍ଭେ ପୁରୋହିତ
ସକଳ ପରବ ମୋ ଜଳୁ ପ୍ରାରମ୍ଭ
ବିସର୍ଜନ ପ୍ରଣିପାତ................................10
ମୋ ପୁନଃ ଉଦ୍ଧାର ନିମିତ୍ତ ଲଢୁଛି
ଖରସ୍ରୋତା ଅଭିଯାନ
ଆଶୀର୍ବାଦ ମୋର ଲଭନ୍ତୁ ସଫଳ
ପୂର୍ଣ୍ଣ ହେଉ ମନୋସ୍କାମ............................. 11
