ହଜିଯାଇଛି ଆଜି
ହଜିଯାଇଛି ଆଜି
ମାଟିର ସେଇ ଘର ଅଗଣା,
ଚାଳ ଛପର ଘର,
ହଜିଯାଇଛି ଆଜି ସେ ସବୁ,
କାଠ ଝରକା ଦ୍ୱାର |
କଳଙ୍କିଲୁହା ରଙ୍ଗେଇ ହୋଇ,
ଶୋଭା ବଢାଏ ମହଲ,
ଘର ଭିତରେ ପ୍ଲାଷ୍ଟିକ ଦ୍ୱାର,
ତଳ ଟାଇଲ ମାର୍ବଲ |
କାଠ ଚୁଲି ଓ ନିଆଁର ସେକ
ବାଜେନି ଦେହେ ଜମା,
ଫୁଙ୍କୁନଳାକୁ ଛାଡିଣ ଏବେ,
ପ୍ରାଣାୟାମ କରେ ନନା |
ଗ୍ୟାସ ରାନ୍ଧଣା ସୁଆଦ ମାରି,
ଗ୍ୟାସ କରାଏ ସିନା,
ମାଟିହାଣ୍ଡିର ଶକତି ଖାଦ୍ୟ,
ଆଉ ଜମା ମିଳେନା |
ପୋଡା ବାଇଗଣ, ଆଳୁ ଭରତା,
ପାଟିରୁ ଗଡେ ଲାଳ,
ଘଷି ପାଉଁଶ, ମିଳେନି ଖତ,
ମଡ଼ର୍ଣ୍ଣ ହେଲା କାଳ |
ହଜିଯାଇଛି ଘୋରଣା ଚକି,
ପେଷଣା, ଶିଳପୁଆ,
ପଇସା ବାନ୍ଧି ଚକି ପେଷନ୍ତି,
ଜିମରେ ଆମ ଛୁଆ |
ଢେଙ୍କି କୁଟା ତ ହେଉନି ଆଉ,
କୂଅରୁ ପାଣି ଝିକା,
ଅଳସ ପାଇଁ ସଜ କରିଣ,
ରୋଗ କିଣୁଛେ ଏକା |
କାମ ହୁଅନ୍ତା, ଝାଳ ବୁହନ୍ତା,
ସୁସ୍ଥ ରହନ୍ତା ଦେହ,
ଅଳସ ହୋଇ ଦେହ ବଢ଼ାଇ,
ବ୍ୟାୟାମ କରୁଥାଅ |
ହଜିଯାଇଛି ମାଟିର ରାସ୍ତା,
ପିଚୁ, କଂକ୍ରିଟ ଧାରେ,
ଖରାଦିନରେ ଚାଲିପାରେନି,
କେହି ବି ଖାଲିପାଦରେ |
ହଜିଯାଇଛି ଗାଁ ମୁଣ୍ଡର,
ବରଗଛର ଛାଇ,
ନଦୀମୁହାଣେ ବ୍ରିଜ ହୋଇଛି,
ନାଉରୀ ନାଆ ନାହିଁ |
ପାଖ ବାଟକୁ ଚାଲେନି କେହି,
ଯାନ୍ତି ବାଇକି ଚଢ଼ି,
ରୋଗ ବଢିଲେ ଶହେ କୋଶକୁ,
ସକାଳେ ଯାଅ ଚାଲି |
ସୁନ୍ଦର ଆଉ ଦିଶେନି କ୍ଷେତ,
ନାହିଁ ବଳଦ ଚଷା,
କଳ ଲଙ୍ଗଳ ବଦଳାଇଛି,
ଚଷାଙ୍କର ବେଉସା |
ପାଣି ଢାଳଟେ ଦିଶୁନି ଆଉ,
ଅତିଥି ଆସିଥିଲେ,
ହାତ ଗୋଡ ନ ଧୋଇଣ ସେ,
ଘରେ ପ୍ରବେଶ କଲେ |
ହଜି ଯାଇଛି ବାପ ପୁଅର,
ସେନେହ କଥା ବାର୍ତ୍ତା,
ମୋବାଇଲ ସହ କାମରେ ବ୍ୟସ୍ତ,
ବୁଝେନା କେହି କା କଥା |
ହଜିଯାଇଛି ଗୁରୁ ଶିଷ୍ୟର,
ସମ୍ମାନସ୍ପଦ ପ୍ରଥା,
ଗୁରୁଜନଙ୍କୁ ତାତ୍ସଲ୍ୟ କରେ,
ନୁଆଁଏ ନାଇଁ ମଥା |
ହଜିଯାଇଛି ବୟୋଜ୍ୟେଷ୍ଠଙ୍କ,
ମହତ୍ୱପୂର୍ଣ୍ଣ ବାଣୀ,
ଜେଜେଙ୍କ ପାଶେ ବସେନି ନାତି,
ଶୁଭେ ନାହିଁ କାହାଣୀ |
ଭେଜାଲ ଅଟେ ସବୁ ଜିନିଷ,
ମିଳେନି ଜମା ଭଲ,
ଭେଜାକୁ ଆମ ନଷ୍ଟ କରଇ,
ରୋଗରେ କଲବଲ |
ହଜିଯାଇଛି ବଣ ଜଙ୍ଗଲ,
ସୁଲୁସୁଲିଆ ବାଆ,
ବାତ୍ୟା,ମରୁଡି,ମହାମାରୀରେ,
ଜଗତେ ଶୁଭେ ଆହାଃ |
ହଜିଯାଇଛି ନୀତିକାନ୍ତି ଓ,
ମନର ଶାନ୍ତି ଆମ,
ସ୍ୱାର୍ଥପରତା ଭୁଲିଲେ ଯାଇ,
ହସିବ ଧରା ଧାମ |
ହଜିଯିବାରେ ଆମେ ବି ଦିନେ, ଏଇ ମାଟିମା' କୋଳେ, ସୁକର୍ମ ଆମ ଅମର ହୋଇ, ରହିବ ଭୂ -ମଣ୍ଡଳେ ||