ହଜିଲା ଦିନର ସ୍ମୃତି
ହଜିଲା ଦିନର ସ୍ମୃତି
ଏକାଏକା ବସି ଓଲଟାଉଥିଲି
ସ୍ମୃତିର ପୃଷ୍ଠାକୁ ଗୋଟିକୁ ଗୋଟି,
ପୂରୁବ ଦିନର ଗୌରବ ଉଜ୍ଜ୍ୱଳ
ମୋ ଜାତି ସ°ସ୍କୃତି ବିଚ୍ୟୁତି ତ୍ରୁଟି ।
ସମୁଦ୍ର ବକ୍ଷରେ ବୋଇତ ମେଲାଇ
ଉତ୍କଳ ବଣିକ ସାଧବ ପୁଅ
ଯାଉଥିଲା ଦୂର ଜାଭା ଶାକ୍ୟଦ୍ୱୀପ
ସିଂହଳ ଜାପାନ ବାଲି ବୋର୍ଣିଅ ।
ଅସୁମାରୀ ଧନ ମୂଲ୍ୟବାନ ରତ୍ନ
ଭଣ୍ଡାରେ ଆମରି ରାଜ୍ୟ ଓଡିଶା
ହସି ଉଠୁଥିଲା ଶସ୍ୟର ସମ୍ଭାର
ଭୋଗିଲା କେମିତି ଦୁଃଖ ଦୁର୍ଦ୍ଦଶା ।
ଶତ ବାଧାବିଘ୍ନ ବନ୍ୟା ଦୁର୍ବିପାକ
ଯୁଦ୍ଧ ଘନଘଟା ଝଡ଼ ବତାସେ
ଟେକୁଥିଲା ମଥା କ୍ଷତ୍ରିୟ ପାଇକ
ପାତି ଦେଉଥିଲା ଛାତି ସାହସେ ।
ଭାଙ୍ଗିଗଲା ତାର ହାଡ଼ ମେରୁଦଣ୍ଡ
ପାରୁନି ଅଣ୍ଟାକୁ ଆଉ ସଳଖି
ତା ଭାଗ୍ୟ ଆକାଶେ ସୂରୁଜ ଉଦୟ
ପାରିବ କି ସତେ ସିଏ ବା ଦେଖି ।
ଦେଶ ଜାତି ପାଇଁ ଆତ୍ମ ବଳିଦାନ
ଦେଉଥିଲା ଦିନେ ସେ ହସି ହସି
ହରାଇ ସର୍ବସ୍ୱ ଦାଣ୍ଡର ଭିକାରୀ
କପାଳକୁ ନିନ୍ଦି ବାହୁନେ ବସି ।
ହରାଇଲା ଯେବେ ଉତ୍କଳ ସ୍ୱାତନ୍ତ୍ର
ମୁକୁନ୍ଦଦେବଙ୍କ ଶାସନ ଅନ୍ତେ
ଆରମ୍ଭ ହୋଇଲା ଅନ୍ଧକାର ଯୁଗ
ପ୍ରମାଦ ଗଣିଲେ ପ୍ରଜା ସମସ୍ତେ ।
ଶତ୍ରୁ ଆଫଗାନ ମୋଗଲ ରାଜତ୍ୱ
ଭାଙ୍ଗିଲା ମନ୍ଦିର କିରତୀ ରାଜି
ହରାଇଣ ଭୂମି ବୃତ୍ତି ଆଜୀବିକା
ତିଷ୍ଠି ରହିବାକୁ ହୋଇଲା ସନ୍ଧି ।
ମରାଠାଙ୍କ ଠାରୁ ଇ°ରେଜ ଶାସକ
ହାସଲ କରିଲେ ଉତ୍କଳ ଖଣ୍ଡ
ପ୍ରଣୟନ କଲେ ସୂର୍ଯ୍ୟାସ୍ତ ଆଇନ
ବ୍ୟାଜାପ୍ତି କରିଲେ ଭୂ ଅଧିକାର ।
ପାଇକ ସାମନ୍ତ ହେଲେ ସର୍ବସ୍ୱାନ୍ତ
ଭାଙ୍ଗିଗଲା ଗଡ଼ ଓ ଚଉପାଢି
ବୃତ୍ତି ଲାଖରାଜି ଯୁଦ୍ଧ କରସେବା
ସୁବିଧା ସବୁକୁ ନେଲେ ସେ କାଢି ।
ପଡୋଶୀ ମୁଲକୁ ଶିକ୍ଷିତ ଚତୁର
ସ°ଭ୍ରାନ୍ତ ବଙ୍ଗୀୟ ସୁଯୋଗ ଦେଖି
ହାତେଇ ନେଲେ ସେ ଜମିର ଜାଗିରି
ଶୋଷିଲେ ରକତ ଜବରଦସ୍ତି ।
ନବେ ପ୍ରତିଶତ କର ଓ ଖଜଣା
ଅସୁଲି କାରଣୁ ମହା ଦୁର୍ଭିକ୍ଷ
ସନ ଅଠରଶ ଛଅଷଠି ଥିଲା
ପୁରୀ ଗଜପତି ରାଜ ନଅଙ୍କ ।
ମଲେ ପ୍ରଜାକୁଳ ପୋକମାଛି ପରି
ଅସହ୍ୟ ହୋଇଲା ଉତପୀଡନ
କୁହୁଳିଲା ଅଗ୍ନି ଜନ ଅସନ୍ତୋଷ
ସଙ୍ଘଟିତ ହେଲା ମହା ସ°ଗ୍ରାମ ।
ସନ ଅଠରଶ ସତର ମସିହା
ପାଇକ ବିଦ୍ରୋହ ପ୍ରସିଦ୍ଧ ନାମ
ସ୍ୱାଧୀନତା ପାଇଁ ପ୍ରଥମ ସ°ଗ୍ରାମ
କରିଥିଲା ବୀର ଜାତି କଳିଙ୍ଗ ।
ଯାଇଅଛି ବିତି ପଚସ୍ତରୀ ବର୍ଷ
ସ୍ୱାଧୀନତା ଆମ ହୋଇଛି ପ୍ରାପ୍ତି
ମାତ୍ର ହୋଇନାହିଁ ଦୁସ୍ଥିତିର ଅନ୍ତ
ପଙ୍ଗୁ ଓ ଅଥର୍ବ ଏବେ ବି ଜାତି ।
ଚରମ ତା ତ୍ୟାଗ ଆତ୍ମ ବଳିଦାନ
ଉଷୁମ ରକତ ନ ଯାଉ ବୃଥା
ସତ୍ୟର ମହିମା ସ୍ୱର୍ଣିମ ଅକ୍ଷରେ
ହେଉ ଲିପିବଦ୍ଧ ଉଜ୍ଜ୍ବଳ ଗାଥା ।
ପବିତ୍ର ଉତ୍କଳେ ବିଜେ ଜଗନ୍ନାଥ
ପତିତପାବନ ଉଡଇ ବାନା
ବଳିୟାର ଭୂଜ ହେଉ ପ୍ରସାରିତ
ବିପୁଳିତ ହେଉ କର୍ମ ଭାବନା ।
