STORYMIRROR

Lata Behera

Abstract

4  

Lata Behera

Abstract

ହଜିଲା ଦିନ ସ୍ମତିରୁ ପଦେ

ହଜିଲା ଦିନ ସ୍ମତିରୁ ପଦେ

2 mins
8


ଗାଆଁ ଗଣ୍ଡଗୋଳ ଗାଆଁର ନିଶାପ

  ଗାଆଁରେ ମୀମାସା ହୁଏ

ଗାଆଁର ସମ୍ମାନ ଗାଆଁର ଇଜ୍ଜତ 

 ଗାଆଁରେ ଯେ ରହି ଥାଏ ।


ଚୋରି ଦାରୀ ନାରୀ ଯେତେକ ଘଟଣା

   ମୁଖିଆ ପାଖକୁ ଯାଏ

ମୁଖିଆ ଯାହା ଯେ ନିଷ୍ପତ୍ତି ଦିଅନ୍ତି

  ମାନି ଥାନ୍ତି ତାକୁ ସିଏ ।


ପରିବାର ସଦସ୍ୟଙ୍କ ମଧ୍ୟେ ଯଦି

  ମନ ମାଳିନ୍ୟଟି ହୁଏ

ଭିତରେ ଭିତରେ କୁହୁଳି ସେ କଳି

   ଝଗଡାର ରୂପ ନିଏ ।


ସେ ଝଗଡା ବଢି ଭୟଙ୍କର ହେଲେ

   ପରିବାର ଭାଙ୍ଗି ଥାଏ

ଝଗଡାର ସମାଧାନ ପାଇଁ କଥା

  ମୁଖିଆ ପାଖକୁ ଯାଏ ।


ମୁଖିଆ ସମେତ ଗାଆଁ ଭଦ୍ରଲୋକ

   ତଳେ ସିଏ ବସି ଥାଏ

ଉଭୟଙ୍କ କଥା ଶୁଣି ସାରି ଶେଷେ

  ନିଷ୍ପତ୍ତିଟି ଶୁଣାଯାଏ ।


ବେଳେ ବେଳେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ 

   ଏମିତି ଝଗଡା ହୁଏ

ପରିସ୍ଥିତି ପୁଣି ଛାଡପତ୍ର ଯାକେ

  କଥା ତାର ଉଠି ଯାଏ ।


ଛାଡପତ୍ର ଆଗୁ କଥାଟି ମୁଖିଆ 

  ପାଖରେ ପହଞ୍ଚି ଯାଏ

ମୁଖିଆ ପହଞ୍ଚି ଭାଙ୍ଗିବା ସଂସାର 

  ବୁଝେଇ ଯୋଡିଣ ଦିଏ ।


ସାଇ ସାଇ ଗଣ୍ଡଗୋଳ ଯେବେ ହୁଏ

   ନିଶାପଟି ବସି ଥାଏ

ଉଭୟ ଦଳର କଥା ଶୁଣାଯାଇ

  ସମାଧାନ କରା ଯାଏ ।


ଦୁଇ ସାଇ ପୁଣି ଏକାଠି ଚଳନ୍ତି

   ପର୍ବ ପର୍ବାଣୀଟି ହୁଏ

ଯାନି ଯାତ୍ରା ବେଳେ ନିଶା ଦ୍ରବ୍ୟସବୁ

   ବର୍ଜନ ଯେ କରାଯାଏ ।


ବରଷକୁ ଥରେ ଗାଆଁରେ ଆମର

   ଯାତ୍ରା କରା ଯାଉଥାଏ

ଦୂର ଦୂରାନ୍ତରୁ କେତେ ଲୋକ ଆସି 

   ଦେଖି ଯାଉଥାନ୍ତି ସିଏ ।


କୁଆଡୁ ଆସିଲା ଗୋଟିଏ ମଦୁଆ

   ମଦକୁ ପିଇଲା ସିଏ

ତାର ସାଙ୍ଗ ଆମ ଗାଆଁର ପିଲାକୁ

   ସେ ଦିନ ପିଆଇ ଦିଏ ।


ମଦ ନିଶା ଯେବେ ଘାରି ଗଲା ତାକୁ

   ନିଜକୁ ଭୁଲିଲା ସିଏ

ପାଟିରୁ ତାହାର ଯାହା ବାହାରିଲା

   ବକ ବକ ହେଉଥାଏ ।


କାହା କଥା କର୍ଣ୍ଣପାତ ସେ କଲାନି

   ଯୁକ୍ତି ତର୍କ କରୁ ଥାଏ

ବେଳୁ ବେଳ ବେଶୀ ହେଲେ ସେ ଉଦ୍ଧତ

   ଗଣ୍ଡଗୋଳ ବଢିଯାଏ ।


ଗାଆଁ ମୁଖିଆଙ୍କ ନିଷ୍ପତ୍ତିରେ ତାଙ୍କୁ

   କୋଠଘରେ ରଖା ହୁଏ

ସେଇ କୋଠ ଘରେ ଶୋଇ ଶୋଇ ତାଙ୍କ

  ରାତିଟି ଯେ ପାହିଯାଏ ।


ସକାଳ ହେବାରୁ ନିଶାପ ବସିଲା

   ଜୋରିମନା ଦେଲା ସିଏ

ମାନ ଚାଲି ଗଲା ସମ୍ମାନ ବି ଗଲା

  ପକେଟ୍ ବି ଖାଲି ହୁଏ ।


ଗାଆଁର ନିଶାପ ଶୁଣେଇ ଦିଅନ୍ତି 

   ମଦ ତ ଖାଇବ ଯିଏ

ଦଶ ହଜାରଟି ଜୋରିମନା ଦେବ

  ଏଇ କଥା ପକା ହୁଏ ।


ଏଇ ନିଶାପଟି ଗାଆଁ ମାନି ନେଲା

   ନା ମଦ ପିଇଲା କିଏ

ଗାଆଁର ସମ୍ମାନ ଗାଆଁର ଇଜ୍ଜତ

  ଗାଆଁରେ ଯେ ରହି ଥାଏ ।


ହଜିଲା ଦିନର ଅତୀତର ସ୍ମୃତି 

   ଏବେବି ରହିଛି ସିଏ

ଗାଆଁର ସମସ୍ୟା ସମାଧାନ ସବୁ

  ଗାଆଁ ନିଶାପରେ ହୁଏ ।


Rate this content
Log in

Similar oriya poem from Abstract