ହଜିଲା ଦିନ ସ୍ମତିରୁ ପଦେ କବିତା ମାଳା
ହଜିଲା ଦିନ ସ୍ମତିରୁ ପଦେ କବିତା ମାଳା
ପଉଷ ମାସଟି ଅତି ଲକ୍ଷ୍ମୀବନ୍ତ
ପ୍ରତି ଘରେ ଘରେ ଧନ
କୃଷକ ଭାଇଟି ଅମଳ କରିଣ
ଘରେ ରଖିଥାଏ ଧାନ ।
ଏ ହାଣ୍ଡି ତୋରାଣୀ ସେ ହାଡିରେ ହୁଏ
ଓପାସେ ରହେନି ଜନ
ଅଭାବଟି ଦୂର ହୁଏ ଏ ମାସରେ
ପାଖେ ରହିଥାଏ ଧନ ।
ଖାଇବା ପିଇବା ଅବେଇ ଜବେଇ
ଥାଏ ଭଲ ଉପାର୍ଜନ
ପନିପରିବା ବି ଶସ୍ତାରେ ମିଳଇ
ଉଲ୍ଲାସ ରହଇ ମନ ।
ଯିଏ ଯେତେ ଯାହା ଖାଇବ ତ ଖାଉ
ଦିଅନ୍ତି ନି କେହି ଧ୍ୟାନ
ଧାନ ଅମଳରେ ବ୍ୟସ୍ତ ରହିଥାନ୍ତି
ପ୍ରଫୁଲ୍ଲ ଥାଏଟି ମନ ।
ପଉଷ ମାସଟି ଧନ ଧାନେ ପୂର୍ଣ୍ଣ
ଅଭାବ ଆସେନି ଦିନ
ପଉଷ ମାସରେ ମିଳେ ଯାହା ଅନ୍ୟ
ମାସରେ ସାତ ସପନ ।
ସମସ୍ତେ ପାଆନ୍ତି ଏ ମାସେ ଆହାର
ବିକଳ ନ ଥାଏ ମନ
ନିଜ ମନ ଇଚ୍ଛେ ଖାଇ ପିଇଥାନ୍ତି
ବିତେଇ ଥାଆନ୍ତି ଦିନ ।
ଖାଇବା ପାଇବା କଷ୍ଟଟି ନ ଥାଏ
ହସଇ ସବୁ ଜୀବନ
ଏଇ ପୌଷମାସ ମା ଲକ୍ଷ୍ମୀଙ୍କର
ଆଶୀର୍ବାଦ ବରଦାନ ।
ପଉଷରେ ଖଇ ଖଳିମଣ୍ଡା ପିଠା
ତୋଷିଥାଏ ଜନ ମନ
ପଉଷ ମାସଟି ଚାଲି ଗଲା ବେଳେ
ଅଭାବେ କଟଇ ଦିନ ।
କଥାରେ ରହିଛି ପଉଷେ ଖାଇବୁ
ବାହାରେ ପିନ୍ଧିବୁ ଧନ
ବାହା ବେଦୀପରେ ଦୋଳ ମୁକୁଟଟି
ମୋହି ଥାଏ ସିନା ମନ ।
ଶାଢୀ ଶଙ୍ଖା ସିନ୍ଦୂରଟି ବାହା ବେଳେ
ଶୋଭା ପାଏ ସିନା ଧନ
ବାହାରେ ପିନ୍ଧିଲେ ବାହା ପାଞ୍ଚି ସିନା
ପାଇଥାଏ ଶୋଭାବନ ।
ହଜିଲା ଦିନର ଏଇ ଲୋକ କଥା
ପଉଷେ ଖାଇବୁ ଧନ
ବାହାରେ ନାଇବୁ ଦିଶିବ ସୁନ୍ଦର
ଏ କଥାଟି ପ୍ରଚଳନ ।
