ହଜିଛି ମାନବିକତା
ହଜିଛି ମାନବିକତା
ସରଳତା ଆଜି ହଜିଯାଇଅଛି
ମଣିଷର ମନ ତଳେ,
କପଟତା ଆଉ ଅମାନବିକତା
ଅଳନ୍ଧୁର ଜମା ମିଳେ l
କଂସ ରାବଣର ଅତ୍ୟାଚାର ଚାଲେ
ଜୀବନବି ଦୁର୍ବିସହ l
କେମିତି କହିବ ମାନବିକତାଟି
ଲିଭିଯାଇନାହିଁ କୁହ l(1)
କନ୍ୟା ଭୃଣ ଯେବେ ଅଳିଆ ଗଦାରେ
କାନ୍ଦୁଥାଏ କାହିଁ ଶୋଇ,
ବାଳୁତ କନ୍ୟାଟି ବଳି ପଡ଼ିଯାଏ
କାମନା ବହ୍ନିରେଯାଇ l
ଦିନରେ ବି ଆଜି ଝିଅ ଟିଏ କାହିଁ
ଯାଇପାରିବ କି କୁହ,
କେମିତି କହିବା ମାନବିକତାଟି
ହଜିଯାଇନାହିଁ କୁହ l(2)
ଚାଷ କରି ଚାଷୀ ପାଏ ନାହିଁ ନ୍ୟାୟ
ଅଭାବୀ ବିକ୍ରୟ ମାଡ଼େ,
କରଜକୁ ଡରି ବିଷ ପାନ କରେ
ସଂସାର ତା ଦୁଃଖେ ଝଡ଼େ l
ତେଲିଆ ମୁଣ୍ଡରେ ତେଲ ଦେଉଥାନ୍ତି
ଦୁଃଖୀ ରଙ୍କୀ ହତାଦର,
କୌଶଳ କରି ନିଜକୁ ବନାନ୍ତି
ସୁବିଧାର ହକଦାର l
ଦୁଃଖୀ ଲୋକଙ୍କର ବୁଝନ୍ତିନି କେହି
ଜଣେ ହେଲେବିତ କୋହ,
କେମିତି କହିବା ମାନବିକତାଟି
ମରି ଯାଇନାହିଁ କୁହ l(3)
ପଶୁ ପକ୍ଷୀ ପ୍ରତି ଦୟାମାୟା ନାହିଁ
ଆତ୍ମ ସ୍ୱାର୍ଥ କରି ଧ୍ୟେୟ l
ଦନ୍ତ ପାଇଁ ଅବା ଚମଡା ଲୋଭରେ
ମାରନ୍ତି ହୋଇ ନିର୍ଦ୍ଦୟ l
ନିଜ ସ୍ୱାର୍ଥ ପାଇଁ ଜଙ୍ଗଲ ପୋଡ଼ନ୍ତି
ବୃକ୍ଷ ପ୍ରତି ନାହିଁ ମୋହ l
କେମିତି କହିବା ମାନବିକତାଟି
ହଜିଯାଇନାହିଁ କୁହ l(4)
ଗୁରୁଜନ ପ୍ରତି ସମ୍ମାନତ ନାହିଁ
ନିଜବଡ଼ ପଣ ଭାବ,
କାହାକୁ ବି ଆଜି ଖାତିର ତ ନାହିଁ
ପ୍ରଚାରି ନିଜ ଗୌରବ l
ଅଧର୍ମର ନୀତି ସଦା ଆଚରନ୍ତି
ଅର୍ଥ ଉପାର୍ଜନ ପ୍ରିୟ l
କେମିତି କହିବା ମାନବିକତାଟି
ହଜି ଯାଇନାହିଁ କୁହ l(5)
ଭୁଲି ଯାନ୍ତି ନିଜ ପିଲାଦିନ କଥା
ବାପାମାଆ ଙ୍କର କଷ୍ଟ,
ଏକୁଟିଆ ରହି ନିଜ ସ୍ୱାର୍ଥ ଚିନ୍ତା
ସୁବିଧାରେ ଥାନ୍ତି ବ୍ୟସ୍ତ l
ଜରା ନିବାସରେ ବୁଢା ବାପାମାଆ
ଆଖିରୁ ବୁହାନ୍ତି ଲୁହ
କେମିତି କହିବା ମାନବିକତାଟି
ହଜିଯାଇନାହିଁ କୁହ l
ହଜି ଯାଇନାହିଁ କୁହ l(6)
ମଣିଷ ପଣିଆ ହଜି ଯାଇଅଛି
ମଣିଷ ପଡିଛି ଖୋଜା,
ବିଷମ ଜୀବନ ଅତିଷ୍ଠ ହେଉଛି
ଜୀବନର ନାହିଁ ମଜା l
ସୁନ୍ଦର ସଂସ୍କୃତି ବିଗିଡି ଯାଇଛି
ଗଢ଼ିଥିଲେ ବାପା ଅଜା,
ଦୁଃଖୀ ଦରିଦ୍ରଙ୍କ ଲୁହ ପୋଛିବାରେ
ମିଳଇ ଅସଲ ମଜା l
ସହଜ ସୁନ୍ଦର ଜୀବନ ଗଢିବା
ମାନବ ର ହେଉ ଧ୍ୟେୟ,
ବଞ୍ଚାଇ ରଖ ମାନ ବିକତାକୁ
ଜୀବନର ହେଉ ଜୟ l
