ହେବି ନାହିଁ ଲୋକହସା
ହେବି ନାହିଁ ଲୋକହସା


ଜୀବନେ କାହାକୁ ଦେଇନାହିଁ ଦୁଃଖ
ଏକଥା ନିରାଟ ସତ
ଆଜି କାହିଁ ତେବେ ପାଉଅଛି କଷ୍ଟ
କହିଦେ କାଳିଆ ମିତ ।୧।
ଅଟେ ମୁହିଁ ଦୀନ ଦୁଃଖୀ ହୀନ ଜନ
ଜାଣିଛୁ ତୁହି କାଳିଆ
ନାହିଁ ବଡ଼ପଣ ହୃଦୟେ ମୋହର
ମନରେ ନାହିଁ ଅଳିଆ ।୨।
କରି ନାହିଁ କେବେ ମୋ ପାଇଁ ଗୁହାରୀ
ବଡ଼ଦାଣ୍ଡେ ଠିଆ ହୋଇ
ଦିଏ ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧା ପୁଣି
ସର୍ବେ ମୋ ଭଉଣୀ ଭାଇ ।୩।
ଅନୁଷ୍ଠାନ ଟିଏ ଗଢିଅଛି ବୋଲି
ହେବି କି କାହା ଗୋଲାମ
କରି ନିନ୍ଦା ଯଦି ଚାଲିଯାଏ କେହି
କରିବି ନାହିଁ ସଲାମ ।୪।
ଶିକ୍ଷାର ଉନ୍ନତି ଦିଗରେ ସର୍ବଦା
ଚେଷ୍ଟିତ ମୋ ଅନୁଷ୍ଠାନ
ଦିଗଭ୍ରଷ୍ଟ କେବେ ହେବନି ସମ୍ମାନେ
ମିଳିଅଛି ଦିବ୍ଯଜ୍ଞାନ ।୫।
ବୁଝି ପାରିଲୁନି ମୋ ମନର କଥା
କାଳିଆ ଦେଲୁ ଯନ୍ତ୍ରଣା
କହ କାହିଁ ପାଇଁ ତୋ ନାମକୁ ଜପି
ହୋଇବି ମୁଁ ବାଟ ବଣା ।୬।
କରିଲି ଯାହାକୁ ଜୀବନେ ନିଜର
ତା' ଠାରୁ ହେଲି ବଇରୀ
ଜୀବନର ମାନେ ନାହିଁ କିଛି ବୋଲି
ନେଇଛି ଭାବି ମୁରାରୀ ।୭।
ନିଜରକ୍ତ ଯଦି ହୋଇଯାଏ ପର
ଆନ କେ ପାରିବ ଜାଣି
ବାଟଘାଟେ ବନ୍ଧୁ ହୋଇ ଆପଣାର
ସାଥିରେ ଯିବ ମଶାଣି ।୮।
ଶରୀରରୁ ଆତ୍ମା ଚାଲିଗଲା ପରେ
ସଭିଏଁ ବୋଲନ୍ତି ଶବ
କହ ଜଗନ୍ନାଥ କେଉଁ ଦୋଷେ ମୋତେ
କରିଲୁ ପଙ୍ଗୁ ଅର୍ଥବ ।୯।
ମଣିଷ ଜନମ ଦୁର୍ଲଭ ଜୀବନ
ନୁହଁଇ କେବେ ଅନ୍ୟଥା
ଦୟା ଶାନ୍ତି କ୍ଷମା ନାହିଁ ତୋର ଜମା
ବସିଛୁ ଦେବାକୁ ବ୍ଯଥା ।୧୦।
ଅଦିନ ବରଷା ଦେଇଗଲା ଭାଙ୍ଗି
ଛୋଟ ମୋର କୁଡିଆକୁ
ପାରିଲିନି ଜାଣି ତା ପ୍ରେମରେ ପଡି
ଡାକିଲି ମୁଁ ବିପଦକୁ ।୧୧।
ଧର୍ମ ଥିବ ଯଦି ଏ ମହୀ ମଣ୍ଡଳେ
ହେବି ନାହିଁ ଲୋକହସା
ଅଧର୍ମ ପଥରେ ନୁହେଁ ମୁଁ ପଥିକ
ଭୁଲି ନାହିଁ ମାତୃଭାଷା ।୧୨।
ଗଲେ ପଛେ ଯାଅ ଛାଡିରେ ସଙ୍ଗାତ
ଦୁଃଖ ମୁଁ କରିବି ନାହିଁ
ଯଦିକେବେ ପୁଣି ଫେରିଆସ ତୁମେ
ଆଦରି ନେବିନି ମୁହିଁ ।୧୩।
ସତଚେଷ୍ଟା କରି ପାରିବନି ଭାଙ୍ଗି
ମନ୍ଦିର ମୋ ଅନୁଷ୍ଠାନ
ବୃଥା ଅପଚେଷ୍ଟା କରିବନି କେବେ
ସହିବେନି ଭଗବାନ ।୧୪।
କେତେ ଅପବିତ୍ର ଗଙ୍ଗା ନଦୀ ଜଳ
ତଥାପି ପାଏ ଆଦର
ନାହିଁ ମୋ ମନରେ କାମନା ବାସନା
କରିବେନି କେହି ପର ।୧୫।