ହେବି ମୁଁ ଗଙ୍ଗଶିଉଳି
ହେବି ମୁଁ ଗଙ୍ଗଶିଉଳି
ସଂସାର ଆସକ୍ତିରେ ଆଶା ସ୍ବପ୍ନମାନଙ୍କୁ ସାଥୀକରି
ମାୟା ମୋହର ଦୂଷିତ ଜଳେ ଭାସି ଭାସି
ଯାଉଛି ମୁଁ ଆବିଳ ପୂର୍ଣ୍ଣ ପାପର ପଙ୍କରେ ବୁଡ଼ି
କାମନା ବାସନା ନେଇ ହେବାକୁ ପଦ୍ମଟିଏ
ନାହିଁ ପ୍ରାରବ୍ଧର ପୁଣ୍ୟଫଳ କି ନାହିଁ ସାମର୍ଥ୍ୟ ବୋଲି
ଶଙ୍କା ସନ୍ଦେହ ଅବିଶ୍ଵାସରେ ହରାଏ ଆତ୍ମବଳ
ଭାବରେ ବିହ୍ଵଳ ହୋଇ ହେଉଛି ଖାଲି ଘାଣ୍ଟି ଚକଟି
ସମୀକ୍ଷା ନ କରି ନିଜର ଅନ୍ତର୍ନିହିତ ସଦଗୁଣ
ଅନ୍ତରରୁ ହୋଇ ଅନ୍ତର ବହିଃର୍ଦେଶେ କରେ ଭ୍ରମଣ
ଆସେନା ଜାଗରଣ ଲାଗେ ସବୁ ବିଷମ ଜଞ୍ଜାଳ
ଦେଖେ ଯେବେ ତନ୍ମୟେ ଟିକି ଗଙ୍ଗଶିଉଳିକୁ
ଶ୍ଵେତ ଗୋଲାପି ନାଲି ରଙ୍ଗ ତା'ର ନିଏ ଆକର୍ଷି
କମନୀୟା ଲୋଭନୀୟା ଦିଶେ ନିଏ ସେ ମନୋହରି
ନିଷ୍ପାପ ତନୁମନରେ ଅଛି କେତେ ଶାନ୍ତି ସୁଖରେ
ଉଜ୍ଜଳ ଆଭାରେ ଝଲସେ ଝରାଏ ମଧୁ ମହକ
ଟିକି ଫୁଲଟିର ହୃଦୟେ ଅଛି ଭରି ସ୍ଵର୍ଗୀୟ ପ୍ରେମ
କ୍ଷଣିକର ଜୀବନ ନେଇ ହୋଇଛି ଭାଗ୍ୟବତୀ
ସାରାରାତି ତା' ମହକ ବାଣ୍ଟି ପ୍ରାଣର ପବନରେ
ବିରହୀ ଜନ ମନରେ ଦିଏ ସେ ଆଶାର ବୀଜ ବୁଣି
ଶୁଭ ସନ୍ଧ୍ୟାର ମଙ୍ଗଳ ଆଳତି ଧ୍ବନିରେ ଫୁଟି
ସକାଳର ସୁନେଲି ପ୍ରଭାରେ ପଡ଼େ ଧୂଳିରେ ଝଡ଼ି
ତାର ଉତ୍ସର୍ଗୀକୃତ ଅବଦାନ ଆଗେ ହୁଏ ଅଭିଭୂତ
କ୍ଷୁଦ୍ର ହୋଇ କ୍ଷୁଦ୍ର ଜୀବନରେ ତା' ତ୍ୟାଗ ଅତୁଳନୀୟ
ମହାପ୍ରଭୁଙ୍କର ସୃଷ୍ଟିକୁ ଦିଏ ଶତ ଶତ ଧନ୍ୟବାଦ
ମନ ପ୍ରାଣ ହୁଏ ମୋର ଘନ ଘନ ଆନ୍ଦୋଳିତ
ହୃଦୟରେ ଆସେ ଭାବ ଭାବନାର ଲଘୁ ଜୁଆର
ଇଚ୍ଛା ହୁଏ ବାରମ୍ବାର ' ହେବି ମୁଁ ଗଙ୍ଗଶିଉଳି '
ତା' ପରି ଆନନ୍ଦ ଉଲ୍ଲାସରେ ପଡୁଥିବି ମୁଁ ଉଛୁଳି
ହୃଦୟ ହୁଏ ତଲ୍ଲୀନ ଭୁଲିଯାଏ ମୋ ଆତ୍ମ ଅଭିମାନ
ଜୀବନ ତ ଜୀବନ ପାଇବାକୁ ଶାନ୍ତି ଟିକିଏ
ଦୀର୍ଘ ଜୀବନର ଅହେତୁକ କାମନା ଯାଏ ଅପସରି
ମନେ ପ୍ରାଣେ ଜାଗି ଉଠେ ' ହେବି ମୁଁ ଗଙ୍ଗଶିଉଳି '
ଉଡ଼ି ଦୂର ହୁଅନ୍ତା ମିଛ ଭାବନାର ମଳି ଧୂଳି।