STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ବିଷାକ୍ତ ସହର

ବିଷାକ୍ତ ସହର

1 min
462

ଏ ସହର ଛାତିରେ ଭରା ଖରା ତାତି

ଲୋକ ଦେଖାଣିଆ ସ୍ୱଚ୍ଛତା 

ଚହଟ ଚିକ୍କଣ ଉପର ଚେହେରା

ଭିତରେ ଭରା ମଳିନତା। 


ମିଛ ହସ ମିଛ ଆତ୍ମୀୟତା ଏଠି

ଅଭିନୟ ପ୍ରତି ଚେହେରାରେ 

ବିଷକୁମ୍ଭ ପୟୋମୁଖ ପରି ଏଠି

ସବୁ ଓଠ ଧାରୁ ମଧୁ ଝରେ। 


ମାଟି ଆଜି ଅଣନିଃଶ୍ୱାସୀ ହୁଏ

କଂକ୍ରିଟ ଚଦର ଚାପ ତଳେ 

ବରଷା ତା ଛାତି ଛୁଇଁ ପାରେ ନାହିଁ

ସେଥିପାଇଁ ମେଘ କୋପାନଳେ। 


ମାଟିର ଉଦର ଶୁଖିଲାଣି ଆଜି

ଜଳ ଲୁଚେ ଯାଇ ରସାତଳେ 

ତୃଷ୍ଣା ମେଣ୍ଟେ ନାହିଁ ଧରଣୀ ଓଠର

ଜଳ ପାଇଁ ରାଜ୍ୟ କଳହରେ


ଯେତେ ବଡ଼ ସେତେ ଆବର୍ଜନା ପୁର୍ଣ

ବାହାରକୁ ଧୋବ ଫରଫର 

ଧମନୀରେ ତାର ପ୍ରଦୂଷିତ ଜଳ

ପ୍ରୟୋଗଶାଳା ରୋଗ ବ୍ୟାଧିର। 


ଗୁମୁରି ଗୁମୁରି ବାହୁନେ ପବନ

ମାନବ ପ୍ରସ୍ତୁତ ଜହରରେ 

ଦୀର୍ଘଶ୍ୱାସରେ ତା ତପ୍ତ ଅଭିଶାପ

ତାପମାତ୍ରା ବଢ଼େ ଧୀରେ ଧୀରେ। 


ସହର ଆକାଶ ନୀଳ ଦିଶେ ନାହିଁ

ଆବଦ୍ଧ ଧୂଳିର ଆସ୍ତରଣେ 

ରାତିରେ ତାରାଙ୍କ ମେଳା ବସେ ନାହିଁ

ଜହ୍ନ କାନ୍ଦେ ତାର ଘର କୋଣେ।


ପ୍ରଭାତରେ ଏଠି ଶୁଭେନା ପକ୍ଷୀଙ୍କ

କିଚିରି ମିଚିରି କୋଳାହଳ 

ଗୋଧୂଳିରେ କେହି ଖୋଜେ ନାହିଁ ନୀଡ଼

ଆକାଶ ନିରବ ନିଶ୍ଚଳ।


ଉଚ୍ଚ ଅଟ୍ଟାଳିକା ଛାଇରେ ବଢ଼େନା

ସବୁଜ ସଂସାର ପ୍ରକୃତିର 

ଫୁଲ ସାଜେ ଏଠି ବାଲକୋନି କୋଣେ

ନଦୀ ଏଠି ଶୂନ୍ୟ ବାଲିଚର। 


ବିଷାକ୍ତ ସହର ଆସକ୍ତ ସଂସାର

ସମ୍ପର୍କ ବିତର୍କ ବଜାରେ 

ମାର୍ବଲ ମନ୍ଦିରେ ଦେବତା ହସନ୍ତି

ପାଇ ନୈବେଦ୍ୟ ସ୍ଵର୍ଣ୍ଣ ପାତ୍ରରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract