ହେ ସମୟ ଟିକେ ରହିଯା
ହେ ସମୟ ଟିକେ ରହିଯା
ସକାଳୁ ଉଠନ୍ତେ ଏତେ କାମ ଦେଖି
ମାଆ କହନ୍ତି ମନେ ମନେ
‘‘ ହେ ସମୟ ତୁହି ରହିଯା ଟିକିଏ
କାମ ସାରିଦିଏ ଯତନେ |”
ଅଫିସ ଯିବାର ସମୟ ହୁଅନ୍ତେ
ଖୋଜୁ ଖୋଜୁ ରୁମାଲ ପର୍ସ
ବାପା କହୁଥା'ନ୍ତି “ ରହିଯା ସମୟ
ପ୍ରସ୍ତୁତି ମୋ ହେଉ ଶେଷ |”
ଅପରାହ୍ନ କାଳେ ଖେଳ ପଡିଆର
ପଶ୍ଚିମ ଆକାଶେ ରବି
କ୍ରିକେଟ ଖେଳରେ ବିଭୋର ପିଲାଏ
ଦେଖି ଅସ୍ତରାଗ ଛବି ।
ଷ୍ଟ୍ରିଟ୍ ଲାଇଟ୍ ଜଳିବା ପୂର୍ବରୁ
ରାକା କହେ “ରେ ସମୟ!
ଦୟାକରି ତୁହି ରହିଯା ଟିକିଏ
ଖେଳରେ ରହୁ ମୋ ଲୟ |”
ହୋମ୍ ୱାର୍କ ମାନ କରୁ କରୁ ଯେବେ
ସାର୍ ଆସିବା ବେଳ ହୁଏ
‘‘ ହେ ସମୟ ଟିକେ ରହିଯା ରହିଯା
ରତନି ବିକଳେ କହେ |”
ସତରେ କି ତୁମେ ଭାବୁଛ ସମୟ
ରହେ କେବେ କାହା କଥାରେ
କେବେ ସେ ରହିଛି ନା କେବେରହିବ
ତାହାର ଚଲା ପଥରେ ।
ସମୟଟା ବଡ଼ ଅଟେ ଅମାନିଆ
ଅଟେ ବଡ଼ ସ୍ବାର୍ଥପର,
କାହାରି ସୁଖରେ ବା କାହା ଦୁଃଖରେ
ମୋଟେ ଭାଗ ନାହିଁ ତା'ର |
କେବେ ବି ସମୟ ଅଟକି ଯାଏନି
ନିରବିଚ୍ଛିନ୍ନ ତା ଗତି
ସୁଖରେ ଥାଅ କି ଦୁଃଖେ ଥାଅ ତୁମେ
ଯିବନି ସେ ତୁମ କତି |
ନିରବିଛିନ୍ନ ଏ କାଳଚକ୍ର ଗତି
ଯେପରି ନିଚ୍ଛକ ସତ୍ୟ
ପାଠପଢା ଶେଷେ ପରୀକ୍ଷା ଆସିବା
ସେହିପରି ଧ୍ରୁବ ସତ୍ୟ |
ନିକଟେ ଆସୁଛି ସେ ଦିନ ବାଳକେ
ମନକୁ କରେ ବିବ୍ରତ
ଭାବନା ଆସଇ ତୁମେ ପ୍ରସ୍ତୁତ କି
ହୋଇଯିବ ପରାହତ ।
ପରୀକ୍ଷାର ବେଳ ସନ୍ନିକଟ ଜାଣି
ସୁଦ୍ଧା ତୁମେ ଉଦାସୀନ
ଅଧିକ ନମ୍ବର ପାଇବାକୁ ତୁମ
ନାହିଁ କି ତିଳେ ଉଦ୍ୟମ ।
କେତେ ଦିନ କେତେ ରାତି ଆବଶ୍ୟକ
ହେବାକୁ ତୁମେ ପ୍ରସ୍ତୁତ
ସେଦିନ ଯେପରି ଆଉ କହିବନି
ହୋଇନାହିଁ ମୁଁ ପ୍ରସ୍ତୁତ |
“ରହିଯା ଟିକିଏ ତୁହିରେ ସମୟ"
କହିବନି ତୁମେ ଯେମନ୍ତ
ଏବେ ବି ସମୟ ରହିଛି ତୁମର
ହୁଅରେ ସର୍ବେ ଜାଗ୍ରତ |
ପ୍ରତିଟି ମୁହୂର୍ତ୍ତ ଅଟେ ମୂଲ୍ୟବାନ
କର ତା ସଦବେଭାର
ମନରେ ବିଶ୍ବାସ ସଂପୂର୍ଣ୍ଣ ବିଶ୍ବାସ
ରଖିଥିବ ନିରନ୍ତର |