STORYMIRROR

Jyotsnarani Panda

Classics Fantasy

4  

Jyotsnarani Panda

Classics Fantasy

ହେ ନ୍ୟାୟଧୀଶ

ହେ ନ୍ୟାୟଧୀଶ

1 min
379

 ଅନ୍ୟାୟ ଅନୀତି ଭ୍ରଷ୍ଟାଚାର ଭର୍ତ୍ତି 

  ଏ ସାରା ସଂସାର ଯାକ 

ଆହେ ନ୍ୟାୟଧୀଶ ପ୍ରଭୁ ପୀତବାସ 

  କାହିଁ ପାଇଁ ସାଜ ମୂକ ।। 


ଗୁରୁଜନେ ନାହିଁ ଆଦର ସମ୍ମାନ 

  ମାନେନା ତା' ଉପଦେଶ 

ଲଘୁଜନେ ନାହିଁ ସ୍ନେହ ପ୍ରୀତି ଭାବ 

   ଅହଙ୍କାରେ ସର୍ଵେ ବଶ ।। 


ମହାମାରୀ ଭୟେ ମହୀ ଆତଙ୍କରେ 

   ଅକାଳରେ ପ୍ରାଣ ଝରେ 

କିଏ ପିତୃହରା ପୁଣି ମାତୃହରା 

   କିଏ ପୁତ୍ର ଶୋକେ ମରେ ।। 


ଶିକ୍ଷା ବ୍ୟବସ୍ଥା ତ ଭୁଷୁଡିଗଲାଣି 

   ବିଦ୍ୟାଳୟେ ଝୁଲେ ତାଲା 

ଅବୋଧ ଶିଶୁଟା ଅବାକ୍ ହେଲାଣି 

   ଦେଖି ଦୁନିଆର ପାଲା ।। 


ଋତୁ ଆଉ ନାହିଁ ନିୟତି ବୋଲରେ 

   ଶୀତ ଋତୁରେ ବି ବର୍ଷା 

ଵସନ୍ତରେ ଆଉ ଵହୁନି ମଳୟ 

  ନିତି ଲୁହ ଢାଳେ ଚଷା ।। 


ନାରୀଟିଏ କେବେ ମଣୁନି ନିଜକୁ 

  ସ୍ଵାଧୀନ ଓ ସୁରକ୍ଷିତ 

ଦିନ ଦ୍ବିପହରେ ଧର୍ଷଣ କଷ୍ଟରେ 

  ନିତି ହୁଏ ନିର୍ଯ୍ୟାତିତ ।। 


କନ୍ୟା ଭ୍ରୁଣହତ୍ୟା ବେଦନାର ବାତ୍ୟା 

   ଧରାକୁ ଅଥୟ କରେ 

ସ୍ରଷ୍ଟାଙ୍କର ଶ୍ରେଷ୍ଠ ସୃଷ୍ଟି ଯେ ଅତିଷ୍ଠ 

   ଭିଜୁଥାଏ ଅଶ୍ରୁଧାରେ ।। 


ନେତାମାନେ ଏଠି ନୀତି ଭ୍ରଷ୍ଟ ଏବେ 

  ଆତ୍ମ ସ୍ବାର୍ଥେ ମଜ୍ଜିଥାନ୍ତି 

ଜନତାର ସୁଖ ବଳି ପଡିଯାଏ 

  ଦୁଃଖ ଦୈନ୍ୟେ ଭାସୁଥାନ୍ତି ।। 


ଆଧୁନିକ ଯାଇ ପହଞ୍ଚିଗଲାଣି 

  ନଗ୍ନ ଆଧୁନିକ ପାଶେ 

ସଂସ୍କାର ସଂସ୍କୃତି ପରମ୍ପରା ପ୍ରତି 

   ପୂର୍ଣ୍ଣ ଅବହେଳା ଦିଶେ ।। 


କାହିଁକି ନିଷ୍ଠୁର ହେ କଳାଠାକୁର 

   ଵିଶ୍ଵ ସର୍ବନାଶ ଦେଖି 

ସିନ୍ଧୁରୁ ଵିନ୍ଦୁଏ କରୁଣା ବରଷି 

  ଉଦ୍ଧାର ହେ ଚକାଆଖି ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics